ଭାରତୀୟ ବାୟୁସେନାର ନୂଆ ଶକ୍ତି : ‘ସୁନ୍ଦରୀ ବିଷକନ୍ୟା’- ରାଫେଲ

ରାଫେଲ୍ ! ସେନାର ନୂଆ ଶକ୍ତି

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ସ୍ବାଧୀନତା ଦିବସ । ଆମର ପୂର୍ବସୂରୀ ବହୁମୂଲ୍ୟ ଦେଇ ଅର୍ଜନ କରିଥିବା ସ୍ବାଧୀନତାକୁ ଉପଭୋଗ କରିବା ସହ ଏହାକୁ ବଜାୟ ରଖିବା ପ୍ରତିଟି ଭାରତୀୟର ଦାୟିତ୍ବ ଓ କର୍ତ୍ତବ୍ୟ। ସ୍ବାଧୀନତା ସହ ଦେଶର ସାର୍ବଭୌମତ୍ବର ସୁରକ୍ଷା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସୀମାର ଅଖଣ୍ଡତା ଏବଂ ରାଷ୍ଟ୍ରର ସାର୍ବଭୌମତ୍ବ ବଜାୟ ରଖିବା ଲାଗି ଏକ ଶକ୍ତିଶାଳୀ ତଥା ଶୃଙ୍ଖଳିତ ସେନାବାହିନୀ ଅପରିହାର୍ଯ୍ୟ। ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ଭାରତୀୟ ସେନା ଆଜି ନିଜକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସାମରିକବାହିନୀ ଭାବେ ପ୍ରତିପାଦିତ କରିପାରିଛି। ସ୍ଥଳସେନା, ବାୟୁସେନା ଓ ନୌସେନା ନିଜ ନିଜ କ୍ଷେତ୍ରରେ ଶୀର୍ଷତ୍ବ ହାସଲ କରିଛନ୍ତି। ସଂପ୍ରତି ବାୟୁସେନାରେ ସାମିଲ୍ ହୋଇଥିବା ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲ୍ ଜେଟ୍ ଭାରତର ସେନା ଶକ୍ତିକୁ ସୁଦୃଢ଼ କରିବା ସହ ବାୟୁସେନାର ମନୋବଳକୁ ଦୃଢ଼ କରିଛି। ଆଧୁନିକ ଆକାଶ ଯୁଦ୍ଧରେ ଶତ୍ରୁକୁ ପରାହତ କରିବାରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ରାଫେଲ୍ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଯିବା ପରେ ଭାରତୀୟ ବାୟୁସେନା ଏବେ ହୋଇଉଠିଛି ଅତ୍ୟନ୍ତ ଶକ୍ତିଶାଳୀ। କାରଣ, ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ ହେଉଛି ଏକ ସୁନ୍ଦରୀ ବିଷକନ୍ୟା ଭଳି; ଯାହାକୁ ଦେଖିଲେ ଆଖି ଲାଖିଯାଏ, କିନ୍ତୁ ଯାହାର ନିଃଶ୍ୱାସ ସ୍ପର୍ଶରେ ପ୍ରାଣ ଚାଲିଯାଏ। ସାମରିକ ବିଶେଷଜ୍ଞମାନେ କହନ୍ତି ଦୂରରୁ ଥାଇ ଏକାଧିକ ଲକ୍ଷ୍ୟ ଭେଦ କରିବା ପାଇଁ ଏହାର ଏପରି କ୍ଷମତା ରହିଛି ଯେ ଉଭୟ ଚୀନ୍ ପଟୁ ଓ ପାକିସ୍ତାନ ପଟୁ ଶତ୍ରୁ ଆକ୍ରମଣ ପ୍ରତିହତ କରିବା ପାଇଁ ତଥା ଶତ୍ରୁ ଇଲାକାରେ ଲକ୍ଷ୍ୟ ଭେଦ କରିବା ପାଇଁ ଏବଂ ଉଭୟ ଶତ୍ରୁଙ୍କର ମୁକାବିଲା ପାଇଁ ପୂରା ଗୋଟିଏ ସ୍କ୍ଵାର୍ଡନ ରାଫେଲ ମଧ୍ୟ ଦରକାର ହେବ ନାହିଁ। ପ୍ରାୟ ୬୦୦ କିମି ଦୂରରୁ ଏହା ଶତ୍ରୁ ଅଞ୍ଚଳରେ ଥିବା ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ଆଣବିକ ଅସ୍ତ୍ର ଖଞ୍ଜା ହୋଇଥିବା କ୍ଷେପଣାସ୍ତ୍ର ମାଡ଼ କରିପାରିବ। ଅର୍ଥାତ୍, ପାକିସ୍ତାନର ଅଭ୍ୟନ୍ତରରେ ଥିବା ଲକ୍ଷ୍ୟସ୍ଥଳୀ ଉପରେ ଆକ୍ରମଣ କରିବା ପାଇଁ ରାଫେଲ୍ ବିମାନକୁ ଭାରତର ସୀମା ମଧ୍ୟ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ରାଫେଲରେ ଲାଗିଥିବା ଏଭିଓନିକ୍ ସିଷ୍ଟମର ସ୍ୱୟଂଚାଳିତ ନିୟନ୍ତ୍ରଣ ଦ୍ଵାରା ତଥ୍ୟ ସଂଗ୍ରହ ପାଇଁ ଏହା ପଇଁତରା ମାରିବା ଠାରୁ ଆରମ୍ଭ କରି ଆକାଶରେ ଶତ୍ରୁ ବିମାନ ସହ ଲଢ଼େଇ ଓ ଭୂମିରେ ଥିବା ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ଆକ୍ରମଣ କରିପାରବ। ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଥିବା ମିଗ୍ ଓ ମିରାଜ୍ ବିମାନ ପୁରୁଣା ହୋଇଯାଇଥିବା ବେଳେ ଏବେ ରାଫେଲ୍ ଆମ ବିମାନ ବାହିନୀର କେନ୍ଦ୍ରୀୟ ଶକ୍ତି ହେବାକୁ ଯାଉଛି।

‘ସୁନ୍ଦରୀ ବିଷକନ୍ୟା’- ରାଫେଲ

ଭାରତ ଫ୍ରାନ୍ସରୁ ଆମଦାନି କରୁଥିବା ୩୬ଟି ଯୁଦ୍ଧବିମାନ ରାଫେଲ୍ ମଧ୍ୟରୁ ପ୍ରଥମ ଦଫାରେ ୫ଟି ରାଫେଲ ଆସି ଭାରତରେ ପହଞ୍ଚିଯିବା ପରେ ଏବେ ସମଗ୍ର ବିଶ୍ୱର ନଜର ଭାରତୀୟ ବାୟୁସେନା ଉପରେ। ଅନ୍ୟପକ୍ଷରେ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହୋଇଯିବା ପରେ ସ୍ୱାଭାବିକ ଭାବେ ବିଚଳିତ ହୋଇ ପଡ଼ିଛନ୍ତି ପଡ଼ୋଶୀ ଚୀନ୍ ଓ ପାକିସ୍ତାନ। ଚୀନ୍ ଓ ପାକିସ୍ତାନ ଉଭୟେ ରାଫେଲର ମୁତୟନ କେଉଁଠି ହେଉଛି ତାହା ଜାଣିବାକୁ ବ୍ୟଗ୍ର ହୋଇ ପଡ଼ିଛନ୍ତି। ଯଦିଓ ଚୀନ୍ ପାଖରେ ଅତ୍ୟାଧୁନିକ ଜେ-୨୦ ଓ ପାକିସ୍ତାନ ନିକଟରେ ଜେଏଫ୍-୧୭ ଯୁଦ୍ଧ ବିମାନ ମହଜୁଦ୍ ଅଛି ତଥାପି ରାଫେଲକୁ ନେଇ ସେମାନେ ଭୟଭୀତ।
କାରଣ, ଫ୍ରାନ୍ସର ଡସଲ୍ଟ କମ୍ପାନି ଦ୍ଵାରା ନିର୍ମିତ ରାଫେଲ ଭାରତୀୟ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବା ସଙ୍ଗେସଙ୍ଗେ ଉଭୟ ଚୀନର ଧମକକୁ ପ୍ରତିହତ କରିବା ସହ ପାକିସ୍ତାନର ମଧ୍ୟ ସମ୍ଭାବ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜବାବ ଦେଇପାରିବ ବୋଲି ବିଶ୍ୱର ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଫେଲ ଚତୁର୍ଥ ଓ ପଞ୍ଚମ ପିଢ଼ିର ମଧ୍ୟବର୍ତ୍ତୀ ବିମାନ ଭାବେ ଧରାଯାଉଛି ଏବଂ ଏହା ଯେ କୌଣସି ପ୍ରକାର ସାମରିକ ଅଭିଯାନକୁ ସୁଚାରୁରୂପେ ତୁଲାଇବାର ଦକ୍ଷତା ରଖିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ରାଫେଲରେ ମହଜୁଦ୍ ବହୁମୁଖୀ ରାଡାର ଏକ ସମୟରେ ୪୦ଟି ଟାର୍ଗେଟ୍କୁ ଚିହ୍ନଟ କରିପାରିବ। ୧୦୦ରୁ ଊର୍ଦ୍ଧ୍ଵ କିମି ଅଞ୍ଚଳ ମଧ୍ୟରେ ଏହା ୪୦ଟି ଟାର୍ଗେଟ୍କୁ ଚିହ୍ନଟ କରିବ। ଏହାର ସ୍ପେକ୍ଟ୍ରା ଏବଂ ଏକୀକୃତ ସୁରକ୍ଷା ସହାୟତା ପ୍ରଣାଳୀ ରହିଛି। ଶତ୍ରୁ ପକ୍ଷର ରାଡାର ସିଗ୍ନାଲକୁ ଏହା ଜାମ୍ କିମ୍ବା କାଉଣ୍ଟର୍ ଜାମ୍ କରିପାରେ। ଏକ ସମୟରେ ଏହା ୬ଟି ଏଏଏସ୍ଏମ୍ କ୍ଷେପଣାସ୍ତ୍ର ବହନ କରିପାରିବ। ସବୁଠାରୁ ବଡ଼କଥା ହେଲା, ରାଫେଲ୍ ଶତ୍ରୁପକ୍ଷକୁ ଟାର୍ଗେଟ୍ କରିବାପାଇଁ ତାକୁ ଭାରତର ବାୟୁସୀମାକୁ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ଶତ୍ରୁ ପକ୍ଷର ଅଞ୍ଚଳର ୬୦୦ କିମି ଦୂରରେ ଥାଇ ମଧ୍ୟ ରାଫେଲ୍ ଟାର୍ଗେଟ୍କୁ ମାଡ଼ କରିପାରିବ। ଏହା ୯,୫୦୦ କିଲୋଗ୍ରାମ୍ ବିସ୍ଫୋରକ ଏବଂ ଯୁଦ୍ଧାସ୍ତ୍ର ବହନ କରିପାରିବ। ବିମାନରେ ଥିବା ତୋପରୁ ପ୍ରତି ମିନିଟ୍ରେ ୨,୫୦୦ ରାଉଣ୍ଡ୍ ଗୁଳି ଫୁଟାଇ ହେବ। ପୁଣି, ପ୍ରଥମ ଦଫାରେ ଆସିଥିବା ରାଫେଲ ବିମାନକୁ ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରାସ୍ଥିତ ଏୟାରବେସରେ ନିୟୋଜିତ କରାଯାଉଛି। ଏଥି ମଧ୍ୟରୁ ଗୋଟିଏ ଚୀନ୍ ସୀମାନ୍ତ ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ସୀମାନ୍ତବର୍ତ୍ତୀ ଅଞ୍ଚଳ। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ଯଦି ପୁରୁଣା ଅମଳର ମିଗ୍-୨୧କୁ ଧରି ପାକିସ୍ତାନ ମାଟିରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରି ତାକୁ ସଫଳ ରୂପ ଦେଇ ପାରୁଛି, ସେ କ୍ଷେତ୍ରରେ ଏବେ ରାଫେଲ ଆସିଯିବା ପରେ କ’ଣ ନ କରିବ ? ଏଇ ଚିନ୍ତାରେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି ଉଭୟ ପାକିସ୍ତାନ ଓ ଚୀନ୍। ପୁଣି ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେଉହେଉ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହି ସାରିଲେଣି ‘ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଶତ୍ରୁ ସାବଧାନ’!

Share Now:

Kalinga News Beuro

Next Post

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ଅନୁପମ୍ ଖେର୍

Sat Aug 15 , 2020
ମୁମ୍ବାଇ: ବଲିଉଡର ବହୁ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହିକ୍ରମରେ ବରୁଣ ଧୱନ, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ମୁକେଶ ଖାନ୍ନାଙ୍କ ନାମ ରହିଛି। ଏବେ ଏଥିରେ ଆଉ ଏକ ନାମ ଯୋଡ଼ା ହୋଇଛି। ହଁ, ସେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍। ସେ ବି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।ଅନୁପମ୍ ଖେର୍ […]
ଅନୁପମ୍ ଖେର୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial