ପଲିଗ୍ରାଫ୍‌ ଟେଷ୍ଟ ଖୋଲିବ କି ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ…?

ଆଦିତ୍ୟ ଦାଶ ମୃତ୍ୟୁ ମାମଲା-new

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ପଲିଗ୍ରାଫ୍‌ ଟେଷ୍ଟକୁ ଫରେନସିକ୍‌ ଲ୍ୟାବ୍‌ର ଅନୁମତି ମିଳିବା ପରେ ସାଧାରଣରେ ଉତ୍କଣ୍ଠା ବଢ଼ି ଯାଇଛି। ଅନ୍ତତଃ ଏହି ପରୀକ୍ଷାରୁ ଆଦିତ୍ୟଙ୍କ ମୃତ୍ୟୁ ସଂପର୍କରେ କିଛି ଭିତିରି କଥା ପଦାକୁ ଆସିପାରେ ବୋଲି ଆଦିତ୍ୟଙ୍କ ହଜାର ହଜାର ଶୁଭେଚ୍ଛୁ ଓ ପରିବାରଲୋକ ଆଶାବାଦୀ ଅଛନ୍ତି। ଅପରପକ୍ଷେ ଏହି ଟେଷ୍ଟ ହେବାକୁ ଥିବା ୪ଜଣଙ୍କ ମଧ୍ୟରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ ଓ ବିକାଶ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି। ବିଧିବଦ୍ଧ ଭାବେ ସେମାନେ ଟେଷ୍ଟ ପାଇଁ ଅନୁମତି ଦେଇ ନଥିଲେ ହେଁ ଏହି ପରୀକ୍ଷା ଦେବାକୁ ସେମାନେ ରାଜି ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଏହାଦ୍ବାରା କିଏ ମିଛ କହୁଛି ଓ କିଏ ସତ କହୁଛି, ତାହା ପ୍ରମାଣିତ ହୋଇଯିବ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ଫରେନ୍‌ସିକ୍‌ ଲ୍ୟାବ୍‌ ପ୍ରଶ୍ନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସମସ୍ତ କେସ୍‌ ରେକର୍ଡକୁ ଯାଞ୍ଚ କରିବା ପରେ ଲ୍ୟାବ୍‌ର ବରି‌ଷ୍ଠ ଅଧିକାରୀ ପ୍ରଶ୍ନ ତିଆରି କରୁଛନ୍ତି। କାହାକୁ କେଉଁ ପ୍ରଶ୍ନ ପଚରାଯିବ, ସେ ସବୁର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ତେବେ ପଲିଗ୍ରାଫ୍‌ ଟେଷ୍ଟର ନିର୍ଯାସକୁ କୋର୍ଟ ଗ୍ରହଣ କରୁ ନଥିବାରୁ ଏଥିରେ କିଛି ଅଧିକା ଲାଭ ହେବ ନାହିଁ ବୋଲି ଅନେକେ କହିଛନ୍ତି। ଏ ନେଇ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌ର ପୂର୍ବତନ ନିର୍ଦ୍ଦେଶକ ଡା. ବସନ୍ତ ଦାଶ କହିଛନ୍ତି, ଏହି ପରୀକ୍ଷା କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ରହିଛନ୍ତି। ମାମଲାର ସଂପୂର୍ଣ୍ଣ ବିବରଣୀ ଜାଣିବା ପରେ ସମ୍ପୃକ୍ତ ଅଧିକାରୀ ପ୍ରଶ୍ନ ପ୍ରସ୍ତୁତ କରନ୍ତି। ଶରୀରରେ ମେସିନ୍‌ ଖଞ୍ଜା ଯିବା ପରେ ପ୍ରଶ୍ନ ପଚରା ହୁଏ। ପ୍ରଶ୍ନ ଅନୁସାରେ ଶରୀରର ହୃଦ୍‌ସ୍ପନ୍ଦନ, ରକ୍ତଚାପକୁ ମେସିନ୍‌ ରେକର୍ଡ କରେ। ହୃଦ୍‌ସ୍ପନ୍ଦନ ଉପରେ କାହାର ନିୟନ୍ତ୍ରଣ ନ ଥାଏ। ଏଣୁ ମିଛ କହିବା ବେଳେ ବା କିଛି ଲୁଚାଇବା ବେଳେ ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଇଥାଏ, ଯାହାକୁ ମେସିନ୍‌ ରେକର୍ଡ କରିନିଏ। ଏହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୁଏ। ଯଦିଓ ଏହି ରିପୋର୍ଟ କୋର୍ଟରେ ଗ୍ରହଣୀୟ ହେବ ନାହିଁ, କିନ୍ତୁ ମାମଲା ପରିଚାଳନା‌ରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଚିନ୍ତା ବଢ଼ାଉଛି କରୋନା ବର୍ଜ୍ୟ: ରାଜଧାନୀରୁ ବାହାରୁଛି ଦୈନିକ ୨୦ରୁ ୨୫ କୁଇଣ୍ଟାଲ

Wed Aug 26 , 2020
ସିପିସିବି ଗାଇଡ୍‌ଲାଇନ ପାଳନ ନେଇ ପ୍ରଶ୍ନ ,ଏଣେତେଣେ ପଡୁଛି କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ଉପରମୁହାଁ ରହିଛି। ପ୍ରତିଦିନ ରାଜ୍ୟରେ ୨୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରୁ ବି ୩୦୦ରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ସମସ୍ତଙ୍କୁ ମେଡିକାଲ ପଠାଇବା ସମ୍ଭବପର ହେଉ ନଥିବାରୁ ରାଜଧାନୀରେ ୮୦୦ରୁ ଊର୍ଧ୍ବ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନେ ଏବେ ଚିନ୍ତା ବଢ଼ାଇଲେଣି। […]
ବଢ଼ୁଛି କରୋନା ବର୍ଜ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial