ସାରା ରାଜ୍ୟରେ ପିଏମ୍‌ଜିଏସ୍‌ୱାଇ ଦିଗହରା

ରାଜ୍ୟରେ ଦିଗହରା ପିଏମ୍‌ଜିଏସ୍‌ୱାଇ

ଅସନ୍ତୋଷ ଝାଡ଼ିଲେ ମୁଖ୍ୟଯନ୍ତ୍ରୀ, ମାର୍ଗଦର୍ଶିକା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା(ପିଏମଜିଏସୱାଇ)ରେ ନିର୍ମାଣ ହେଉଥିବା ରାସ୍ତା ଅତି ନିମ୍ନମାନର ହେଉଛି। କନିଷ୍ଠ ଯନ୍ତ୍ରୀ ଏବଂ ଏସ୍‌ଡିଓମାନେ ନୀତି ନିୟମକୁ ବେଖାତିର କରୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ନିରବଦ୍ରଷ୍ଟା ସାଜୁଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମ‌ାର ପ୍ରଧାନ ଅସନ୍ତୋଷ ଝାଡ଼ିବା ସହ ମାର୍ଗଦର୍ଶିକା ପ୍ରକାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ଯୋଜନାରେ ଚାଲିଥିବା ମହାଦୁର୍ନୀତି ପଦାରେ ପଡ଼ିଛି। ପିଏମଜିଏସୱାଇର ମୁଖ୍ୟଯନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ସେ ଏକ ମାସ ହେଲା ଦାୟିତ୍ବ ନେବା ମଧ୍ୟରେ ରାସ୍ତା ନିର୍ମାଣ ସମୟରେ ବ୍ୟାପକ ଅନିୟମିତତା ହେଉଥିବା ନଜରକୁ ଆସିଛି। ନିର୍ମାଣ କାର୍ଯ୍ୟର ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ(ଏସଡ଼ିଓ), କନିଷ୍ଠଯନ୍ତ୍ରୀ(ଜେଇ) ମାନେ ରାସ୍ତା କାର୍ଯ୍ୟ ସଂପର୍କରେ ସଚେତନ ନୁହନ୍ତି। ମଞ୍ଜୁର ହେଉଥିବା ପ୍ରକଳ୍ପର ସବିଶେଷ ବିବରଣୀ ଅନୁସରଣ କରୁନାହାନ୍ତି। ଅସୁବିଧା ସଂପର୍କରେ ନିର୍ବାହୀ ଯନ୍ତ୍ରୀମାନେ ଜାଣି ମଧ୍ୟ ନିରବ ସମର୍ଥନ ଦେଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ନମ୍ବର ୨୨୨୪୪ ତା୨୦/୧୧/୨୦୨୦ରିଖ ରେ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେବା ଘଟଣା ଯୋଜନାରେ ହେଉଥିବା ହରିଲୁଟ୍‌ ଅଭିଯୋଗ ଉପରେ ମୋହର ଲାଗିଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ହେଉଥିବା ଏହି ରାସ୍ତା କାମରେ ବ୍ୟାପକ ଅନିୟମିତତା ‌ନେଇ ଗଣମାଧ୍ୟମରେ ବାରମ୍ବାର ତଥ୍ୟ ଭିତ୍ତିକ ଖବର ପ୍ରଦାନ କରାଯାଉଛି। ମାତ୍ର ଏହି ରାସ୍ତା କାର୍ଯ୍ୟ ତନଖି କରୁଥିବା କେନ୍ଦ୍ରୀୟ ଓ ରାଜ୍ୟ ଟିମ୍ କିଭଳି ନିମ୍ନମାନର କାମକୁ ଭଲ କାମ ବୋଲି ଦର୍ଶାଉଛନ୍ତି ତାହା ଏକ ବଡ ପ୍ରଶ୍ନ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କେମିତି କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି ତାହାର ଏକ ନମୁନା ଜାରକା ଡିଭିଜନ୍ ଅଧୀନ ଚଣ୍ଡିଖୋଲ ସବ୍‌ଡିଭିଜନ୍‌ର ପଟ୍ଟାମୁଣ୍ଡାଇ କେନାଲବନ୍ଧର ବାଲିଚନ୍ଦ୍ରପୁର ଠାରୁ ବେଣିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମକୁ ଦେଖିଲେ ଅନୁମାନ କରାଯାଇ ପାରିବ। ଯାହାର ପ୍ୟାକେଜ୍ ନମ୍ବର-ଓଆର୍-୧୩-୨୮୨। ୪କୋଟି ୧୦ଲକ୍ଷ ୬୪ହଜାର ୫୫୦ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ୪ମାସ ମଧ୍ୟରେ ମରଣଯନ୍ତାରେ ପରିଣତ ହୋଇଛି। ୧୧କିଲୋମିଟର ରାସ୍ତା ପାଇଁ ଦୁଇଥର ଟେଣ୍ଡର୍ ଡକାଯାଇଥିଲା। ୨୦୧୭ ମସିହାରେ ଟେଣ୍ଡରରେ କେହି ଠିକାଦାର ଅଂଶଗ୍ରହଣ କରି ନ ଥିବାରୁ ୨୦୧୮ ମସିହାରେ ପୁଣି ଟେଣ୍ଡର୍ ଡକାଯାଇଥିଲା। ଏହି ଟେଣ୍ଡରରେ କେବଳ ଜଣେ ମାତ୍ର ଠିକାଦାର ଅଂଶଗ୍ରହଣ କରିଥିଲେ। ଫଳରେ ବିଭାଗ ତରଫରୁ ଠିକାଦାରଙ୍କୁ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଟେଣ୍ଡର ମୂଲ୍ୟ ଠାରୁ ୪.୯୮% ଅଧିକ ମୂଲ୍ୟରେ ଠିକାଦାର ଟେଣ୍ଡର ହାତେଇ ଥିଲେ। କେହି ଠିକାଦାର ଅଂଶଗ୍ରହଣ ନକରିବା ଏବଂ ଅଧିକ ମୂଲ୍ୟରେ ଟେଣ୍ଡର ହାତେଇବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଠିକାଦାରଙ୍କୁ ମୁନଫା ଦେବା ପାଇଁ ବିଭିନ୍ନ ଆଳ ଦେଖାଇ ବିଭାଗୀୟ ଅଧିକାରୀ ୩ ଥର ଆକଳନକୁ ପରିବର୍ତ୍ତନ କରିଛନ୍ତି। କେବଳ ଏତିକି ନୁହେଁ, ଟେଣ୍ଡର ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଚୁକ୍ତି ହୋଇଥିବା ବେଳେ ବିଭାଗ ତରଫରୁ ଆହୁରି ଅଧିକ ଅର୍ଥ ବରାଦ କରି ବ୍ୟୟ କରାଯାଇଛି। କୋଟି କୋଟି ଟଙ୍କାରେ ନିର୍ମିତ ରାସ୍ତା ଏବେ ବ୍ୟବହାର ଅନୁପଯୋଗୀ।
ଏ ସଂପର୍କରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ବିଭାଗୀୟ ସଚିବଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ବିଭାଗରେ ହରିଲୁଟ ଚରମ ସୀମାରେ ପହଞ୍ଚିଛି। ବାଲିଚନ୍ଦ୍ରପୁର ଠାରୁ ବେଣିପୁର ପର୍ଯ୍ୟନ୍ତ ରାସ୍ତାକୁ ଉଚ୍ଚ ପଦାଧିକାରୀ ପରିଦର୍ଶନ କଲେ ପ୍ରାଧାନମନ୍ତ୍ରୀ ସଡ଼କରେ କେତେ ନିମ୍ନମାନର କାମ ହୋଇପାରେ, ତାହା ହୃଦୟଙ୍ଗମ କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏହାକୁ ଏକ ଦୃଷ୍ଟାନ୍ତ ରୂପେ ନେଲେ ସାରା ରାଜ୍ୟରେ ଏହି ଯୋଜନାରେ ଦୁର୍ନୀତି ଗହ୍ବର କେତେ ତାହା ସହଜରେ ଅନୁମାନ କରିହେବ। ଏଭଳିି ସ୍ଥିତିରେ ମୁଖ୍ୟଯନ୍ତ୍ରୀ ଯେଉଁ ମାର୍ଗଦର୍ଶିକା ଅନୁଯାୟୀ କାମ କରିବାକୁ ଦାଗିଦ କରିଛନ୍ତି ତାହା ଠିକାଦାର- ଯନ୍ତ୍ରୀଙ୍କ ଅସାଧୁମେଣ୍ଟ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Share Now:

Kalinga News Beuro

Next Post

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଦୋମୁହାଁ ନୀତି

Sat Nov 28 , 2020
କୋଣାର୍କ ଉତ୍ସବକୁ ଅନୁମତି, ଅନ୍ୟ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗ ସ୍ଥାଣୁ ଭୁବନେଶ୍ୱର : କୋଣ‌ାର୍କରେ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ଉତ୍ସବ ହେବ। ମଞ୍ଚରେ ନୃତ୍ୟ ପରିବେଷଣ କରାଯିବ। ଦର୍ଶକ ବି ଦେଖିବେ। ସେଠି କରୋନା ବ୍ୟାପିବନି। କିନ୍ତୁ ଭୁବନେଶ୍ବରର ଉତ୍କଳ ମଣ୍ଡପ ପରି ଖୋଲା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ମାଡ଼ିଯିବ। ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଶତାଧିକ ଲୋକ ବସି‌‌ଲେ। ଉଚ୍ଚଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମ ହେଲା। […]
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଦୋମୁହାଁ ନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial