ଭୁବନେଶ୍ବର : ଏଣିକି ବସ୍ତିକୁ ଯିବ ପୁଲିସ୍। ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବ। କିଏ ରହୁଛି, କ’ଣ କରୁଛି, ପରିବାରରେ କେତେଜଣ, ଘରର ମାଲିକ କିଏ; ସବୁ ଟିକିନିଖି ତଥ୍ୟ ହାସଲ କରିବ। କୌଣସି ଗୋଟିଏ ପରିବାର କିମ୍ବା ଘର ବାଦ୍ ପଡ଼ିବ ନାହିଁ। ଏହି ତଥ୍ୟକୁ ନେଇ ପୁଲିସ୍ ଏକ ଡାଟାବେସ୍ ତିଆରି କରିବ। ରାଜଧାନୀରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ କମିସନରେଟ୍ ପୁଲିସ୍ ଏପରି ଏକ ନୂଆ ଯୋଜନା ଆଣିବାକୁ ଯାଉଛି। ଏଥିପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହାର ରୂପରେଖ ପ୍ରସ୍ତୁତ ହୋଇସାରିଛି। ଖୁବ୍ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ଅପରାଧୀ ରାଜଧାନୀକୁ ଆସି ବସ୍ତିମାନଙ୍କରେ ଡେରା ପକାଉଛନ୍ତି। ସେହିଠାରେ ସେମାନେ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। କାମ ହୋଇଗଲା ପରେ ଚୁପଚାପ ଏଠାରୁ ପଳାଉଛନ୍ତି। ଫଳରେ ପୁଲିସ୍ ଅକଳରେ ପଡ଼ୁଛି। ପୁଲିସ୍ ହାତରେ ସିସିଟିଭି ଫୁଟେଜ୍ ଥିଲେ ମଧ୍ୟ ଅପରାଧୀ ବାହାର ରାଜ୍ୟ କିମ୍ବା ଜିଲ୍ଲାର ହୋଇଥିବାରୁ ସେମାନଙ୍କୁ ଖୋଜି ପାଉନି। ବସ୍ତିରେ ରହୁଥିବା ବହୁ ଲୋକ ଦିନମଜୁରିଆ ତଥା ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ମଧ୍ୟ ଏମାନଙ୍କ ସଂପର୍କରେ ଟେର୍ ପାଇ ପାରୁନାହାନ୍ତି। ତେଣୁ କମିସନରେଟ୍ ପୁଲିସ୍ ଏଭଳି ଏକ ଯୋଜନା ବଳରେ ଅପରାଧୀମାନଙ୍କୁ ସହଜରେ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଡିସିପି ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ପଦକ୍ଷେପ ସ୍ବରୂପ କେଉଁ ଥାନା ଅଞ୍ଚଳରେ କେତେ ବସ୍ତି ରହିଛି, ତାହାର ତାଲିକା ଆରମ୍ଭ ହୋଇଛି। ପ୍ରତ୍ୟେକ ଥାନାର ୩ଜଣ ଅଧିକାରୀ ଗୋଟିଏ ଲେଖାଏଁ ବସ୍ତିର ଦାୟିତ୍ବରେ ରହିବେ। ପରବର୍ତ୍ତୀ ପର୍ଯ୍ୟାୟରେ ବସ୍ତିବାସିନ୍ଦାଙ୍କ ପୂର୍ଣ୍ଣ ପରିଚୟ ସଂଗ୍ରହ କରାଯାଇ ତାଲିକା ପ୍ରସ୍ତୁତ ହେବ। ଯିଏ ଭଡ଼ା ଦେବ, ସେ ଭଡ଼ାଟିଆର ସଂପୂର୍ଣ୍ଣ ବିବରଣୀ ପୁଲିସ୍ ପାଖରେ ଦାଖଲ କରିବ। କମ୍ ଦିନ ଭିତରେ ଏହି ତାଲିକା ସାରିବା ପାଇଁ କୁହାଯାଇଛି। ଏହାଦ୍ବାରା ପୁଲିସ୍ ପାଖରେ ବସ୍ତିର ଏକ ଡାଟାବେସ୍ ମହଜୁଦ ରହିବ ଓ ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହେବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି। ତେବେ ଏଭଳି ଯୋଜନା ନୂଆ ନୁହେଁ। ପୂର୍ବରୁ ବସ୍ତିବାସିନ୍ଦାଙ୍କ ନିକଟତର ହେବା ପାଇଁ କମିସନରେଟ୍ ପୁଲିସ ‘ଆପୋସ’ ଯୋଜନା ଆରମ୍ଭ କରିଥିଲା। ଏହି ଯୋଜନା ଦ୍ବାରା ଯୁବପିଢ଼ି ଅପରାଧରୁ ଦୂରେଇ ରହିବା ସହ ପୁଲିସ୍ ସହ ସମ୍ପର୍କ ବଢ଼ିବ ଓ ସେମାନଙ୍କଠାରୁ ଅପରାଧୀଙ୍କ ସମ୍ପର୍କରେ ଖବର ମଧ୍ୟ ଆସିପାରିବ ବୋଲି ପୁଲିସ୍ ଆଶାବାଦୀ ରହିଥିଲା। କିନ୍ତୁ ଏହି ଯୋଜନା ଅଧୁରା ରହି ଯାଇଥିଲା। ତେଣୁ ଏବେ ଏହି ନୂଆ ଯୋଜନା କେତେ ଦୂର ଫଳବତୀ ହେଉଛି, ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଛି।
ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ବ୍ୟବସ୍ଥା : ବସ୍ତିକୁ ଯିବ ପୁଲିସ

Share Now: