ନନ୍ଦନକାନନରେ ନୂଆ ଅତିଥି: ବାଘୁଣୀ ମେଘା କୋଳରେ ୩ ଶାବକ

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ : ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରି। ରାଜ୍ୟବାସୀଙ୍କୁ ନନ୍ଦନକାନନ ଦେଇଛି ଏକ ଖୁସି ଖବର। ପ୍ରାଣୀ ଉଦ୍ୟାନର ବାଘ ଖୁଆଡ଼ରେ ମା’ ବାଘୁଣୀ ମେଘା ୩ ନୂଆ ଶାବକକୁ ଜନ୍ମ ଦେଇଛି। ଆଖି ଫିଟି ନ ଥିବା ୩ ସଦ୍ୟଜାତ ବାଘ ଶାବକ ମା’ ମେଘା କୋଳରେ ଖେଳିବା ଆରମ୍ଭ କରିଦେଇଛନ୍ତି। ଏଯାଏ ନବଜାତକମାନଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ତେବେ ଠିକ୍ ୫ ବର୍ଷ ପରେ ମା’ବାଘୁଣୀ ମେଘା ପୁଣି ମା’ ହୋଇଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ୩ ନବଜାତକ ବାଘଛୁଆଙ୍କୁ ମିଶାଇ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୩୦ ହୋଇଛି। ଏମାନଙ୍କ ମଧ୍ୟରେ ୧୬ ସାଧାରଣ ନାଲି ରଙ୍ଗର, ୭ଟି ଧଳା ରଙ୍ଗର, ୪ଟି କଳା ରଙ୍ଗର ଓ ବର୍ଣ୍ଣ ତଥା ଲିଙ୍ଗ ଚିହ୍ନଟ ହୋଇ ନଥିବା ୩ ନବଜାତ ଅଛନ୍ତି। ମହାବଳ ନନ୍ଦନ ଔରସରୁ ମେଘା ଗର୍ଭବତୀ ହେବା ପରେ ତା’ର ପ୍ରସବକୁ ନେଇ ଦିନ ଗଣନା ଚାଲିଥିଲା। ୧୦୨ ଦିନ ବିତିବା ପରେ କୌଣସି ମୁହୂର୍ତ୍ତରେ ସେ ଛୁଆ ଜନ୍ମ ଦେବ ବୋଲି ଆକଳନ କରାଯାଉଥିଲା। କାରଣ ଦୁଇ ଦିନ ହେଲା ମେଘା ଭଲରେ ଖାଇବା ପିଇବା କରୁନଥିଲା ଓ ଖୁଆଡ଼ରେ ଶୋଇ ରହୁଥିଲା। ଆକଳନ ଅନୁସାରେ ଗତକାଲି ଭୋର୍‌ ସମୟରେ ତା’ କୋଳକୁ ଆସିଥିଲେ ୩ କୁନିକୁନି ଛୁଆ। ୩୧ ‘ଗ’ ଖୁଆଡ଼ ସିସିଟିଭି କ୍ୟାମେରାରୁ ମେଘା ୩ ଶାବକଙ୍କୁ ଜନ୍ମ ଦେଇଥିବାର ଦୃଶ୍ୟ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହଲରେ ଆନନ୍ଦର ଲହରି ଖେଳି ଯାଇଥିଲା। ମା’ ଓ ଛୁଆମାନେ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା ଓ ଛୁଆମାନେ ମେଘାଠାରୁ ସ୍ତନ୍ୟପାନ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆମୋଦିତ କରିଥିଲା। ବାଘୁଣୀ ମେଘାର ଏହା ଦ୍ବିତୀୟ ଗର୍ଭ। ୨୦୧୬ ମସିହାରେ ମେଘା ପ୍ରଥମ ଗର୍ଭରୁ ଜନ୍ମ ଦେଇଥିବା ଦୁଇ ଅଣ୍ଡିରା ବାଘ ବାହୁବଳୀ ଓ କୁନ୍ଦନ ଏବେ ୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୧୩ ମସିହାରେ ସାତକୋଶିଆ ଜଙ୍ଗଲରୁ ଆସି ନନ୍ଦନକାନନରେ ମେଘା ପ୍ରେମରେ ଫସିଥିବା ନନ୍ଦନ ଔରସରୁ ବାହୁବଳୀ ଓ କୁନ୍ଦନ ଜନ୍ମ ନେଇଥିଲେ। ଏବେ ପୁଣି ସେମାନଙ୍କ ମିଳନରୁ ଆଉ ୩ଟି ଶାବକ ଜନ୍ମ ନେଇଛନ୍ତି। ପରେ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କ ନାମକରଣ କରାଯିବ। ଏଥର ମେଘା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ, ୧୯ରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ : ମୁଖ୍ୟମନ୍ତ୍ରୀ

Thu Apr 15 , 2021
ନବମ ଓ ଏକାଦଶ ଶ୍ରେଣୀର ସମସ୍ତ ଛାତ୍ର ଉତ୍ତୀର୍ଣ୍ଣ ହେବେ ଭୁବନେଶ୍ବର: ସାଂପ୍ରତିକ କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ […]
ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial