ଦର୍ଶକ ନିରାଶ : ଖୋଲିପାରିଲାନି ‘ଶିଶିର ସରସ’

‌ଖୋଲିପାରିଲାନି ‘ଶିଶିର ସରସ’

ଖଣ୍ଡଗିରି: ଶେଷ ମୂହୁର୍ତ୍ତରେ ଶିଶିର ସରସ ମେଳା ଉଦ୍‌ଘାଟନକୁ ସ୍ଥଗିତ ରଖାଯାଇଛି। ଗତକାଲି ଅର୍ଥାତ୍ ୧୩ ତାରିଖରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆଜି ଉଦ୍‌ଘାଟିତ ହେବ ବୋଲି ଜଣାପଡ଼ିଛି। ପ୍ରସ୍ତୁତି ସରି ନଥିବାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦ ହୋଇଯାଇଥିବା କୁହାଯାଇଛି। ତେବେ ଗତକାଲିଠାରୁ ମେଳା ଆରମ୍ଭ ହେବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ରାଜଧାନୀ ସାରା ବିଜ୍ଞାପନ ହୋର୍ଡିଂ ଲଗାଯାଇଥିଲା। ତେଣୁ ଏହି ମେଳା ଦେଖିବାକୁ ଆସିଥିବା ହଜାର ହଜାର ଦର୍ଶକ ନିରାଶ ହୋଇ ଫେରିଥିଲେ। ଓର୍‌ମାସ୍‌ର ଏଭଳି ଦାଇତ୍ୱହୀନତା ପାଇଁ ଦର୍ଶକମାନେ ଖର୍ଚ୍ଚାନ୍ତ ହେବା ସହ ପିଲା ଛୁଆଙ୍କୁ ଧରି ହନ୍ତସନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଗତକାଲି ଏହି ମେଳାର ଶୁଭାରମ୍ଭ ହେବ ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ ବୋଲି ପୂର୍ବରୁ ଓର୍‌ମାସ ପକ୍ଷରୁ ଘୋଷଣା ହୋଇଥିଲା। ତେଣୁ ସନ୍ଧ୍ୟାରେ ବରମୁଣ୍ଡା ପଡ଼ିଆରେ ବହୁ ମେଳାପ୍ରେମୀ ପହଞ୍ଚିଥିଲେ। ମାତ୍ର ସନ୍ଧ୍ୟା ହେଲା ପଛେ, କୌଣସି କାର୍ଯ୍ୟକ୍ରମ ହେଲା ନାହିଁ। ପଡ଼ିଆ ଭିତରେ ବହୁ ଷ୍ଟଲ୍‌ କାମ ବାକି ଥିବା ବେଳେ ମେଳାର ମୁଖ୍ୟ ତୋରଣ କାମ ଚାଲିଥିଲା। ସେହିଭଳି ମେଳାର ମୁଖ୍ୟ ମଞ୍ଚ କାମ ବି ଅଧା ଥିଲା। ପଡ଼ିଆରେ ଯେତିକି ଲାଇଟ୍‌ ଲାଗିବା କଥା, ଲାଗି ନଥିଲା। ପଡ଼ିଆର ଅଧାରୁ ଅଧିକ ଅଂଶ ଅନ୍ଧାରିଆ ଥିଲା। ପଡ଼ିଆରେ କାର୍ପେଟ୍ ବିଛା ଯାଇ ନଥିଲା। ଏଭଳି ସ୍ଥିତି ଦେଖି ମେଳା ବୁଲିବାକୁ ଆସିଥିବା ଦର୍ଶକମାନେ ବିସ୍ମିତ ହୋଇଥିଲେ। ପରେ ଜଣାଗଲା ଯେ ମେଳା ଆସନ୍ତାକାଲି ଉଦ୍‌ଘାଟନ ହେବ। ମେଳା ଆରମ୍ଭ ହେବ ନାହିଁ ବୋଲି ଜାଣିବା ପରେ ଦର୍ଶକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମେଳା ବୁଲିବାକୁ ସହିଦନଗରରୁ ପିଲା ଛୁଆଙ୍କୁ ଧରି ଆସିଥିବା ସନତ ମହାନ୍ତିଙ୍କ କହିବା କଥା, ଏଭଳି କଯର୍ଦ୍ୟ ବ୍ୟବସ୍ଥା ପାଇଁ ସେ ଅଯଥାରେ ଖର୍ଚ୍ଚାନ୍ତ ହେଲେ। ମେଳା ଆଜି ଶୁଭାରମ୍ଭ ହେବ ନାହିଁ ବୋଲି ଓର୍‌ମାସ ପୂର୍ବରୁ ସୂଚନା ଦେବା କଥା। ଆରମ୍ଭ ହେବ ବୋଲି ସହରସାରା ବିଜ୍ଞାପନ ହୋର୍ଡିଂ ଲଗାଗଲା, ଅଥଚ ଲୋକେ ପହଞ୍ଚିବା ବେଳକୁ ପଡ଼ିଆ ଅନ୍ଧାର। ଅଧିକାରୀମାନଙ୍କ ଏଭଳି ଦାଇତ୍ୱହୀନତା ପାଇଁ ତାଙ୍କ ପରିବାର ଆଜି କଷ୍ଟ ଭୋଗିଲା ଏବଂ ପିଲାଛୁଆଙ୍କ ମନ ମରିଗଲା ବୋଲି ସେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ଓର୍‌ମାସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ-୨୦୨୩ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୩୫୦ଟି ଷ୍ଟଲ୍‌ ପଡ଼ିବ। ରାଜ୍ୟର ୩୦ଜିଲ୍ଲାରୁ ସ୍ୱୟଂସହାୟକ ଗୋଷ୍ଠୀଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ହେବ। ରାଜ୍ୟ ବାହାରୁ ବିଭିନ୍ନ ପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ସାମଗ୍ରୀ ବିକ୍ରି ହେବ। ପ୍ରତିଦିନ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Share Now:

Kalinga News Beuro

Next Post

ନେପାଳ ବିମାନ ଦୁର୍ଘଟଣା: ଘଟଣାସ୍ଥଳରୁ ଉଦ୍ଧାର ହେଲା ୬୮ଜଣଙ୍କ ମୃତଦେହ

Sun Jan 15 , 2023
ନୂଆଦିଲ୍ଲୀ: ରବିବାର ଦିନ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ମୋଟ ୭୨ଜଣ ଥିଲେ। ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ରିପୋର୍ଟ କରିଛି ନ୍ୟୁଜ୍ ଏଜେନ୍ସି ପିଟିଆଇ। ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। […]
ନେପାଳ ବିମାନ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial