କପି ଧରା ପଡ଼ିବାରୁ ଉତ୍ତର ଖାତା ଚିରିଲେ ଅଧ୍ୟାପକଙ୍କୁ ପିଟିଲେ, ଥାନାରେ ଦୁଇ ଛାତ୍ର ଅଟକ

ଗୋପାଳପୁର : ପରୀକ୍ଷାରେ କପି ଧରା ପଡ଼ିଯିବାରୁ ଦୁଇ ଜଣ ଛାତ୍ର ପରୀକ୍ଷା ହଲ୍‌ରେ ଉନ୍ମତ୍ତକାଣ୍ଡ କରିଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଭିଡ଼ି ଆଣି ଚିରି ଦେବା ସହିତ ନିୟନ୍ତ୍ରକ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଡୁରା କନିଷ୍ଠ ମହାବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଘଟିଥିବା ଏଭଳି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଦୁଇ ଛାତ୍ରଙ୍କୁ ଥାନାକୁ ନେଇଯାଇଛି। ଇଂରାଜୀ ବିଭାଗ ଅଧ୍ୟାପକ ଗଗନବିହାରୀ ପୁରୋହିତଙ୍କ ଅଭିଯୋଗ କ୍ରମେ ଗୋପାଳପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ଗତ ୨୧ ତାରିଖରୁ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା। ଆଜି ଅର୍ଥନୀତି ପରୀକ୍ଷା ଥିଲା। ପରୀକ୍ଷା ଚାଲିଥିବା ସମୟରେ ଡୁରା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବନମାଳୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠିତ ଏକ ଇଣ୍ଟରନାଲ ସ୍କ୍ଵାଡ୍‌ ୧୦ଟା ୫୦ମିନିଟ୍‌ରେ ପରୀକ୍ଷା ହଲ୍‌ରେ କପି ଯାଞ୍ଚ କରିଥିଲେ। ଏହି ଟିମ୍‌ରେ ଇଂରାଜୀ ଅଧ୍ୟାପକ ପୁରୋହିତ ବି ସାମିଲ ଥିଲେ। ଯାଞ୍ଚ ସମୟରେ ସେହି ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ର ମୋହିତ କୁମାର ସାହୁଙ୍କ ନିକଟରୁ କପି ଧରା ପଡ଼ିଥିଲା। ଅଧ୍ୟାପକ ଜଣଙ୍କ ମୋହିତଙ୍କୁ କପି ଦେବା ପାଇଁ କହିଥିଲେ। କିନ୍ତୁ ମୋହିତ ଫେଲ୍‌ ହୋଇଯିବା ଭୟରେ କପିକୁ ପାଟିରେ ପୁରାଇ ଦେଇଥିଲେ। ଏଥିରେ ଅଧ୍ୟାପକ ଜଣକ ଛାତ୍ରଙ୍କ ଉତ୍ତର ଖାତା ନେବା ପାଇଁ ପ୍ରୟାସ କରିଥିଲେ। ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ଟଣାଓଟରା ଏବଂ ଧସ୍ତାଧସ୍ତି ହୋଇଥିଲା। ଫଳରେ ଉତ୍ତର ଖାତାଟି ଚିରି ଯାଇଥିଲା। ଏହି ଘଟଣାକୁ ନେଇ ପରୀକ୍ଷା ହଲ୍‌ରେ ପରୀକ୍ଷା ଦେଉଥିବା ମୋହିତର ଭାଇ ରୋହିତ କୁମାର ସାହୁ ପାଟି କରି ମାଡ଼ି ଆସିଥିଲେ। ଏହାପରେ ଉଭୟେ ମିଶି ପରୀକ୍ଷା ହଲ୍‌ରେ ବସିଥିବା ନଅଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାକୁ ଚିିିରି ଦେଇଥିଲେ। ଫଳରେ କିଛି ସମୟ ଧରି ପରୀକ୍ଷା ହଲ୍‌ରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିକ୍ଷାନୁଷ୍ଠାନ କର୍ମଚାରୀ ଦୁଇ ଛାତ୍ରଙ୍କୁ କାବୁ କରି ଗୋପାଳପୁର ଥାନାକୁ ଖବର କରିଥିଲେ।

ଥାନାଧିକାରୀ ସୁଶାନ୍ତ କୁମାର ସାହୁ ସେଠାରେ ପହଞ୍ଚି ଉଭୟ ଛାତ୍ରଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ। ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପାଣିଗ୍ରାହୀ, ଡିଏଲ୍‌ସି ଶେଷଦେବ ସାହୁ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ କୁଳମଣି ଓଝା ପ୍ରମୁଖଙ୍କ ଏକ ଜରୁରୀ ବୈଠକ ବସିଥିଲା। ବୈଠକରେ ଉଭୟ ଛାତ୍ରଙ୍କୁ ଚଳିତ ପରୀକ୍ଷାରୁ ସଂପୂର୍ଣ୍ଣ ଭାବେ ବାଦ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଲୋଚନା କରା ଯାଇଥିଲା। ଯେଉଁ ପିଲାମାନଙ୍କ ଖାତା ଚିରିଥିଲା, ସେମାନଙ୍କୁ ନୂଆ ଉତ୍ତର ଖାତା ଦିଆଯିବା ସହିତ ଅତିରିକ୍ତ ୧ଘଣ୍ଟା ସମୟ ଦିଆ ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଖୋଲିବ ରତ୍ନଭଣ୍ଡାର:ସର୍ତ୍ତ ରଖିଲେ ସରକାର

Wed Mar 28 , 2018
ପୁରୀ: ଆସନ୍ତା ମାସ ପ୍ରଥମ ସପ୍ତାହ ଶେଷ ବେଳକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଆଜି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଆଜି ସନ୍ଧ୍ୟାରେ ଆଇନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ଏକ ଚିଠି ଫାକ୍ସ୍‌ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଫଳରେ ରତ୍ନଭଣ୍ଡାର ଯାଞ୍ଚ ନେଇ ଗତ କିଛିଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial