କେମିତି ବ୍ୟାପେ କରୋନା ଭାଇରସ୍‌:ଭାଇରସ୍‌ରୁ ବର୍ତ୍ତିବା ପାଇଁ କ’ଣ କରିବେ

ନ୍ୟୁୟର୍କ : ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା ଭାଇରସ ଆକ୍ରାନ୍ତ ରୋଗୀଠାରୁ ଅନ୍ୟ ଜଣେ କେତେ ଦୂରରେ ରହିବା ଉଚିତ୍‌, ସେ ରୋଗୀ କେତେ ମାତ୍ରାରେ ଭାଇରାଲ ଡ୍ରପ୍‌ଲେଟ୍‌ (ବିଷାଣୁ ବୁନ୍ଦା) ବାୟୁମଣ୍ଡଳକୁ ନିର୍ଗତ କରୁଛି, ରୋଗୀ କେତେ ଥର ମୁହଁରେ ହାତ ବୁଲାଉଛି ଏବଂ ସର୍ବୋପରି ରୋଗୀର ବୟସ ଓ ସୁସ୍ଥତା ଉପରେ ସଂକ୍ରମଣ ନିର୍ଭର କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖପାତ୍ରଙ୍କ କହିବା ଅନୁସାରେ, ଜଣେ କରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତିଠାରୁ ୩ ଫୁଟ ଦୂରରେ ରହିବା ନିରାପଦ। କିନ୍ତୁ ସିଡିସିପି(ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ) କହିଛି, ରୋଗୀଠାରୁ ୬ ମିଟର ଦୂରରେ ରହିବା ମଧ୍ୟ ବିପଦଜନକ। କରୋନା ଭାଇରସ ସଂକ୍ରମଣର ଲକ୍ଷଣ ସାଧାରଣ ଫ୍ଲୁ ଭଳି। ଥଣ୍ଡା, କାଶ ଏବଂ ଜ୍ୱରରୁ ଏହା ଆରମ୍ଭ ହୋଇଥାଏ। ମାତ୍ର, ବେଳେବେଳେ ଏସବୁ କିଛି ଲକ୍ଷଣ ନଥାଇ ମଧ୍ୟ ଜଣେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖପାତ୍ର ଖ୍ରୀଷ୍ଟିଆନ୍‌ ଲିଣ୍ଡ୍‌ମେୟର କହିଛନ୍ତି। ସେହିଭଳି ବିଭିନ୍ନ ପ୍ରକ‌ାର ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌, ମୋବାଇଲ ସ୍କ୍ରିନ୍‌, ବସ୍‌ ପୋଲ୍‌ (ଖୁଣ୍ଟ), ମନ୍ଦିର, ଧାର୍ମିକ ସ୍ଥଳ, ବସ୍‌ ଷ୍ଟପ୍‌ରେ କରୋନା ଭାଇରସ ସଂକ୍ରମଣର ଭୟ ଅଧିକ ଥାଏ। ସଂକ୍ରମିତ ରୋଗୀଙ୍କ ଛିଙ୍କ ଓ କାଶ ମାଧ୍ୟମରେ କରୋନା ଭାଇରସ ସଂକ୍ରମିତ ହୋଇଥାଏ। ହଂକଂର ଏକ ବୌଦ୍ଧ ମନ୍ଦିରରେ ଶତାଧିକ ବ୍ୟକ୍ତି ହଠାତ୍‌ କରୋନା ଭାଇରସ ଆକ୍ରାନ୍ତ ହୋଇ ପଡ଼ିବା ଘଟଣା ମଠ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌ ଭଳି ଧାର୍ମିକ ପୀଠର ସମାବେଶ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ବାୟୁ ଚଳପ୍ରଚଳ ହୋଇ ପାରୁ ନଥିବା ସର୍ବସାଧାରଣ ସ୍ଥଳରେ କରୋନା ଭାଇରସ ଆକ୍ରାନ୍ତର ଭୟ ବେଶି ଥାଏ। ଏ ଦୃଷ୍ଟିରୁ ଧାର୍ମିକ ସ୍ଥଳରେ କରୋନା ଭାଇରସ ଆକ୍ରାନ୍ତର ଭୟ ଅଧିକ। ତେବେ ଖୋଲା ସ୍ଥାନରେ ଜଣେ କେହି କାଶିଲେ କି ଛିଙ୍କିଲେ ସେଥିନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ହାଭାର୍ଡ ଗ୍ଲୋବାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଆଶିଷ କୁମାର ଝା କହିଛନ୍ତି। ସେହିଭଳି ଚୁମ୍ବନ ମାଧ୍ୟମରେ କରୋନା ଭାଇରସ ସଂକ୍ରମିତ ହୋଇଥାଏ। ଯଦିଓ ଏହା ଏକ ଯୌନ ସଂକ୍ରମିତ ରୋଗ ନୁହେଁ, ତଥାପି ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଗୃହପାଳିତ ପଶୁ, ପକ୍ଷୀଙ୍କ ଦ୍ୱାରା ଏହି ଭାଇରସ୍‌ ସଂକ୍ରମିତ ହୋଇ ନଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଭାଇରସ୍‌ରୁ ବର୍ତ୍ତିବା ପାଇଁ କ’ଣ କରିବେ
ଜନସାଧାରଣ କରୋନା ଭାଇରସ୍‌ କବଳରୁ କିଭଳି ନିଜକୁ ରକ୍ଷା କରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଡବ୍ଲ୍ୟୁଏଚ୍ଓ ସୁପାରିସ ଅନୁଯାୟୀ ଭାଇରସ୍‌ କବଳରୁ ବର୍ତ୍ତିବାପାଇଁ ଲଗାତାର ହାତ ଧୁଅନ୍ତୁ। ଏଥିପାଇଁ ଆଲକୋହଲ ଥିବା ସାବୁନ ଏବଂ ପାଣିକୁ ବ୍ୟବହାର କରନ୍ତୁ। ଏହାଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁ ସହଜରେ ମରିଯିବେ। କାଶିବା ସମୟରେ ଟିସୁ ବ୍ୟବହାର କରନ୍ତୁ। ଏହାଦ୍ୱାରା ପାଖରେ ଥିବା ବ୍ୟକ୍ତିଙ୍କ ପାଇଁ କିଛି ବିପଦ ସୃଷ୍ଟି କରିବ ନାହିଁ। ଯଦି ଟିସୁ ବ୍ୟବହାର କରୁଛନ୍ତି ତେବେ ସଙ୍ଗେସଙ୍ଗେ ଏହାକୁ ପକାଇ ଦିଅନ୍ତୁ। ଯେଉଁମାନଙ୍କର କାଶ ଏବଂ ଛିଙ୍କ ହେଉଛି ‌ସେମାନଙ୍କଠାରୁ ୧ ମିଟର ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ନିଜ ମୁହଁକୁ ବାରମ୍ବାର ଛୁଇଁବା ଉଚିତ ନୁହେଁ। ଆଖି, ନାକ କିମ୍ବା ପାଟି ଦେଇ ଆପଣ ଭାଇରସ୍‌ ସଂକ୍ରମିତ ହୋଇପାରନ୍ତି। ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ପ୍ରଥମେ ସ୍ୱାସ୍ଥ୍ୟପ୍ରଦ ପଦକ୍ଷେପ ଗ୍ରହଣ କରନ୍ତୁ। ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ଅଞ୍ଚଳରେ କେହି କରୋନା ଭାଇରସ୍‌ ବ୍ୟାପିଥିବା ସ୍ଥାନରୁ ଫେରିଛନ୍ତି କି। ଯଦି ସାମାନ୍ୟ ଥଣ୍ଡା ଏବଂ ମୁଣ୍ଡ ବିନ୍ଧା ହେଉଛି ତେବେ ସୁସ୍ଥ ହେବା ପର୍ଯ୍ୟନ୍ତ ଘ‌ରେ ରୁହନ୍ତୁ। ଯଦି ଆପଣ ଅସୁସ୍ଥ ନାହାନ୍ତି ଏବଂ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିନାହାନ୍ତି ତେବେ ମାସ୍କ ପିନ୍ଧିବାର କିଛି ଆବଶ୍ୟକତା‌ ନାହିଁ।

Share Now:

Kalinga News Beuro

Leave a Reply

Next Post

ଆସିଛି ଦୋଳ ପରବ : ଗାଁ ବୁଲିବେ ଦୋଳ ଗୋବିନ୍ଦ

Thu Mar 5 , 2020
ଭୁବନେଶ୍ୱର: ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ‌ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ। ଋତୁରାଜ ବସନ୍ତକୁ ସ୍ୱାଗତ କରିବ ଫଗୁମୟ ପରିବେଶ। ଜମିବ ପଞ୍ଚୁଦୋଳ ମେଳଣ। କେବଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial