କରୋନା ଚଡ଼କ : ରାଜଧାନୀ ଉପକଣ୍ଠରେ କୁକୁଡ଼ା ଗୋଟା ୧୦ ରୁ ୩୦ଟଙ୍କା

୫୦ ଟଙ୍କାକୁ ଖସିଲା ଚିକେନ୍‌ କିଲୋ, ଖସୁଛି ଦର, ଆସୁନାହାନ୍ତି ଗ୍ରାହକ

ଭୁବନେଶ୍ୱର : କୁକୁଡ଼ା ଗୋଟାକୁ ୧୦ ରୁ ୩୦ ଟଙ୍କା। ଗୋଟିଏ କେଜି କୁକୁଡ଼ା ମାଂସ କିଣିଲେ ଦେବାକୁ ପଡ଼ୁଛି ମାତ୍ର ୫୦ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଆଜି ଦିନରେ ରାଜଧାନୀ ଉପକଣ୍ଠରେ କୁକୁଡ଼ା ଓ ଚିକେନ୍‌ (ମାଂସ)ର ମୂଲ୍ୟ ଏଭଳି ରହିଛି। ଅବଶ୍ୟ ସହର ଭିତରେ ଚିକେନ୍‌ କାଉଣ୍ଟରରେ ଗୋଟା କୁକୁଡ଼ା ଓ ଚିକେନ୍‌ର ମୂଲ୍ୟ ଏହାଠାରୁ ସାମାନ୍ୟ କିଛି ଅଧିକ ରହୁଥିବା ଦେଖିବାକୁ ମିଳିଛି। ବାର୍ଡ-ଫ୍ଲୁର ଦେଢ଼ ମାସ ପରେ ବି ଚିକେନ୍‌ ଦୋକାନରେ ବେପାର ସ୍ଵଭାବିକ ହୋଇ ନ ଥିବା ବେଳେ କରୋନା ଭୂତାଣୁ ଯୋଗୁଁ ଲୋକଙ୍କ ମଧ୍ୟରେ ଚିକେନ୍‌ ଖାଇବାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପରିଣାମସ୍ଵରୂପ ଏବେ ଚିକେନ୍‌ ବେପାର ଉପରେ ଚଡ଼କ ପଡ଼ିଛି। ବଡ଼ କଥା ହେଉଛି ଯେ ରାଜଧାନୀରେ ବାର୍ଡ-ଫ୍ଲୁ ବ୍ୟାପିବା ପୂର୍ବରୁ ଚିକେନ୍‌ କିଲୋ ପିଛା ୧୮୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ହେଲେ ବାର୍ଡ-ଫ୍ଲୁ ପରେ ବେପାର ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିବା ପରିସ୍ଥିତିକୁ ଆସିଗଲାଣି। ‌ଦେଢ଼ ମାସ ମଧ୍ୟରେ ୧୦୦ରୁ ୧୨୦ ଟଙ୍କା କମ୍‌ରେ ଚିକେନ୍‌ ବିକ୍ରି ହେଉଛି। ଗତ ୫ ବର୍ଷର ତଥ୍ୟକୁ ଦେଖିଲେ କେବେ ବି ରାଜଧାନୀରେ ଏତେ ଶସ୍ତାରେ ଚିକେନ୍‌ କିମ୍ବା କୁକୁଡ଼ା ବିକ୍ରି ହେଉ ନ ଥିଲା। ଏମିତିକି ମାଂସ ବ୍ୟବସାୟର ପେଣ୍ଠସ୍ଥଳ ଭାବେ ପରିଚିତ ୟୁନିଟ୍‌-୪ ମାର୍କେଟ୍‌ରେ ଆଜି ଦିନରେ ଗୋଟା କୁକୁଡ଼ାର ମୂଲ୍ୟ ୪୦ରୁ ୫୦ଟଙ୍କା ରହିଥିବା ବେଳେ ଚିକେନ୍‌ କିଲୋ ପିଛା‌ ୬୦ଟଙ୍କାରେ ବିକ୍ରି ହେଉଛି। ସହର ଉପକଣ୍ଠରେ କେଉଁଠି କୁକୁଡ଼ା ଗୋଟା ୩୦ ଟଙ୍କା ତ’ ପୁଣି କେଉଁଠି ଚିକେନ୍‌ କେଜି ୫୦ରୁ ୬୦ଟଙ୍କାରେ ବିକ୍ରି କରାଯାଉଛି। କେତେକ ବ୍ୟବସାୟୀ ୩ଟି କୁକୁଡ଼ାକୁ ଶହେ ଟଙ୍କାରେ ବି ବିକ୍ରି କରୁଛନ୍ତି। ଚିକେନ୍‌ ମୂଲ୍ୟ ହ୍ରାସ ପରେ ବି ଗ୍ରାହକଙ୍କର ଦେଖା ମିଳୁନି। ଶସ୍ତାରୁ ହିନସ୍ତା ନ୍ୟାୟରେ ଗ୍ରାହକ ଏବେ ଚିକେନ କିଣିବାକୁ ଭୟ କରୁଛନ୍ତି। ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ଏବେ ବିବାହ ଋତୁ ଚାଲିଛି। ତେଣୁ ଚିକେନ୍‌ ବଜାର ବେଶ୍‌ ସରଗରମ୍‌ ରହିବା କଥା। କିନ୍ତୁ ଚିକେନ୍‌ ବ୍ୟବସାୟୀ ଆଶାନୁରୂପ ଲାଭ କରିପାରୁ ନାହାନ୍ତି। ଲାଭ ତ’ ଦୂରର କଥା, ମୂଳଧନ ବି ପାଇବା କଷ୍ଟକର ହୋଇଯାଇଛି। ବାର୍ଡ-ଫ୍ଲୁ ପରେ କରୋନା ଭୂତାଣୁ ବ୍ୟାପୁଥିବାରୁ ଗ୍ରାହକମାନେ ଚିକେନ୍‌ରୁ ବିମୁଖ ହେଉଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ୟୁନିଟ୍‌-୪ ଚିକେନ୍‌ ହୋଲସେଲ୍‌ ବ୍ୟବସାୟୀ ଶେଖ୍‌ ସୟିଦ୍‌ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଚିକେନ୍‌ର ଉତ୍ପାଦନ ବୃଦ୍ଧି ଓ ବିକ୍ରି ପରିମାଣ ହ୍ରାସ ଯୋଗୁଁ ଦର ଅଧାରୁ ଅଧିକ ଖସି ଆସିଛି। ବାର୍ଡ ଫ୍ଲୁ ଯୋଗୁଁ ଗ୍ରାହକମାନେ ଚିକେନ୍‌ କିଣି ନଥିଲେ। ପୁଣି ଛୋଟ କୁକୁଡ଼ା ସବୁ ଏବେ ବଡ଼ ହୋଇଯାଇଛନ୍ତି ଓ କୁକୁଡ଼ା ଉତ୍ପାଦନ ବଢ଼ିଛି। କିନ୍ତୁ ବଜାରରେ ଏବେ ବିଭିନ୍ନ କାରଣରୁ ଚିକେନ୍‌ର ଚାହିଦା ନାହିଁ। ଫଳରେ ବିକ୍ରି କମିବା ସହ ଦର ମଧ୍ୟ କମିଛି। ଅନ୍ୟପକ୍ଷରେ ଚିକେନ୍‌ ଖାଇଲେ କରୋନା ହେବ ବୋଲି ଥିବା ଗୁଜବ ଯୋଗୁଁ ବି ବେପାର ମାନ୍ଦା ପଡ଼ିଛି। ଆଉ ମାସେ ଗଲେ ବଜାରରେ କୁକୁଡ଼ା ଉତ୍ପାଦନ ହ୍ରାସ ପାଇବ ଓ ଦର ବଢ଼ିଯିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର : ଆଖି ଖୋଲିପାରୁ ନାହାନ୍ତି ମହିଳା

Sat Mar 14 , 2020
ଡାକ୍ତର କହିଲେ ଆଖିରୁ ଲେନ୍‌ସ ଖସି ଯାଇଛି ଭୁବନେଶ୍ୱର : ୨୦୨୨ ମସିହା ସୁଦ୍ଧା ରାଜ୍ୟ ସରକାର ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରଖାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ଜଣେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial