କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆୟୁଷ ନିର୍ଦ୍ଦେଶାଳୟ

କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’

ଭୁବନେଶ୍ବର: ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯିବ ଆୟୁଷ-୬୪ ବଟିକା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର)ର ଜାତୀୟ କୋଭିଡ ଟାସ୍କଫୋର୍ସ ଏହାର ନିରୀକ୍ଷଣ କରିଥିବା ବେଳେ ଜାତୀୟ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହାକୁ ସାମିଲ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ଔଷଧ କୋଭିଡ୍‌ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଯଦି ରାଜ୍ୟ ସରକାର ଏହାକୁ ଅନୁମୋଦନ କରନ୍ତି, ତାହାଲେ ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ପ୍ରଥମ ଆୟୁଷ ଔଷଧ ହେବ ବୋଲି କୁହାଯାଉଛି। ଆୟୁଷ-୬୪ ଏକ ପଲି ହର୍ବାଲ ଫର୍ମୁଲେସନ୍‌ ହୋଇଥିବା ବେଳେ ଲକ୍ଷଣ ନ ଥିବା କିମ୍ବା, ସ୍ବଳ୍ପ, ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ବେଶ୍‌ ଫଳପ୍ରଦ ହେଉଥିବା କୁହାଯାଉଛି। ଆୟୁଷ ମନ୍ତ୍ରଣାଳୟ-ସିଏସ୍‌ଆର ଯୁଗ୍ମ ନିରୀକ୍ଷଣ କମିଟି ଏହା କ୍ଲିନିକାଲ ପରୀକ୍ଷଣ କରିବା ପରେ ଔଷଧକୁ ବ୍ୟବହାର କରିବା ଲାଗି ପ୍ରସ୍ତାବ ଦେଇଥିଲା। ଦିଲ୍ଲୀ ଓ କିଛି ରାଜ୍ୟରେ ଏହି ଔଷଧ ପୂର୍ବରୁ ବିତରଣ କରାଯାଉଛି। ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ମଧ୍ୟ ଓଡ଼ିଶାରେ ଏହି ଔଷଧକୁ କୋଭିଡ‌ ରୋଗୀଙ୍କୁ ଦେବା ଲାଗି ପ୍ରସ୍ତାବ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କ କୋଭିଡ ବୈଷୟିକ କମିଟିକୁ ଏ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା। କମିଟି ଏହାକୁ ରାଜ୍ୟ ସରକାରଙ୍କୁ ବିଚାର କରିବା ଲାଗି ପଠାଇ ଦେଇଛି। କିଭଳି ଭାବେ ରୋଗୀଙ୍କୁ ଏହି ଔଷଧ ପ୍ରଦାନ କରାଯିବ ନିର୍ଦ୍ଦେଶାଳୟ ତାହାର ଏକ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ କରିଛି। ଯଦିଓ ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି; ଖୋର୍ଧା, କଟକ, ଯାଜପୁର, ବାଲେଶ୍ବର ଭଳି ଜିଲ୍ଲାରେ ଏବେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ। ଏସବୁ ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ସ୍ବଳ୍ପ, ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧ ବିତରଣ ଉପରେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷରୁ ଅଧିକ କ୍ୟାପସୁଲ କିଣାଯାଇ ରୋଗୀଙ୍କୁ ଦିଆଯିବାର ଯୋଜନା ରହିଛି। ମାତ୍ର ଏ ବାବଦ ଅର୍ଥ ଆୟୁଷ ନିର୍ଦ୍ଦେଶାଳୟ କିମ୍ବା ରାଜ୍ୟ ସରକାରଙ୍କ ପାଣ୍ଠିରୁ ଭରଣା କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ଆୟୁଷ ନିର୍ଦ୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ଆୟୁଷ-୬୪ କୋଭିଡ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଯଦି ରାଜ୍ୟ ସରକାର ଏହାକୁ ଅନୁମତି ପ୍ରଦାନ କରନ୍ତି, ତାହାଲେ କିଭଳି ଭାବେ ଏହାକୁ ରୋଗୀମାନଙ୍କୁ ଦିଆଯିବ, ତାହା ବିଚାର କରାଯାଉଛି। ରାଜ୍ୟ ସରକାର ଅନୁମତି ଦେବା ପରେ ହିଁ ସବୁ କିଛି ଆଗକୁ ବଢ଼ିବ ବୋଲି ଶ୍ରୀ ମାଝୀ କହିଛନ୍ତି।

Share Now:

Kalinga News Beuro

Next Post

ପ୍ରଥମ ବର୍ଷାରେ ରାଜଧାନୀ ଉବୁଟୁବୁ : ରାସ୍ତାଘାଟରେ ବନ୍ୟାର ଭ୍ରମ

Sun Jun 13 , 2021
ବିଦ୍ୟୁତ କାଟ ଯୋଗୁଁ ଦୁର୍ଦ୍ଦଶା, ଷ୍ଟ୍ରିଟ ଲାଇଟ୍ ଜଳୁନି, ଅନ୍ଧାରରେ‌ ସହର ଭୁବନେଶ୍ବର : ତିନିଦିନ ହେଲା ରାଜଧାନୀ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା। ମୌସୁମୀ ଆଗମନର ସଙ୍କେତ ଦେଉଥିଲା ପାଗ। ଶୁକ୍ରବାର ବିଳମ୍ବିତ ରାତିରେ ମୌସୁମୀ ରାଜଧାନୀ ଛୁଇଁବା ପରେ ଆରମ୍ଭ ହୋଇଥିଲା ବର୍ଷା। ହେଲେ ଶନିବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁ୍ଅ […]
ପ୍ରଥମ ବର୍ଷାରେ ରାଜଧାନୀ ଉବୁଟୁବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial