ଆତଙ୍କରେ ଥରୁଛି ଆଫଗାନିସ୍ତାନ: ଦେଶ ଛାଡ଼ିବାକୁ ଲୋକଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

ଆତଙ୍କରେ ଥରୁଛି ଆଫଗାନିସ୍ତାନ

ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନର ସମର୍ଥନ

କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବିଭିନ୍ନ ସହରେ ଲୁଟ୍‌ପାଟ ଓ ଆକ୍ରମଣ ଆରମ୍ଭ ହୋଇଥିବା ଖବର ମିଳିଛି। ଭାରତ ଆସିଥିବା ‌କେତେକ ଆଫଗାନ ଶରଣାର୍ଥୀ ଭାରତ ପହଞ୍ଚିବା ପରେ କହିଛନ୍ତି ଯେ ତାଲିବାନ ଲୋକଙ୍କ ଜୀବନକୁ ନର୍କ କରିଦେବା ପାଇଁ ଅଭିଯାନ ଆରମ୍ଭ କରିଛି। ଶିଶୁ ଓ ମହିଳାମାନଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଚାହୁଛନ୍ତି। ଗତକାଲି ଏକ ସାମରିକ ବିମାନରେ ଅତି ବିପଜ୍ଜନକ ଭାବେ ଓହଳି ହୋଇଯାଉଥିବା ୩ ଜଣ ଖସିପଡ଼ି ପ୍ରାଣ ହରାଇଛନ୍ତି। ଏହା ସହିତ ବିମାନବନ୍ଦରରେ ପ୍ରବଳ ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ଗୁଳିମାଡ଼ରେ ଅତି କମ୍‌ରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦେଶ ଛାଡ଼ିବା ପାଇଁ ଲୋକେ ଏକ ପରିବହନ ବିମାନର ଟାୟାର ମଝିରେ ଛିଡ଼ା ହୋଇଯାଇଥିଲେ। କାବୁଲ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଆରମ୍ଭ କରି ଉପରକୁ ଉଠିବା ମାତ୍ରେ ଜଣେ ପରେ ଜଣେ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ। କାବୁଲ ବିମାନ ବନ୍ଦରରେ ଭୟାନକ ସ୍ଥିତି ଉପୁଜିବାକରୁ ଆମେରିକାର ସୈନିକମାନେ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏୟାରପୋର୍ଟରେ ପ୍ରାୟ ୪ ହଜାର ଆମେରିକୀୟ ସୈନିକ ମୁତୟନ ଅଛନ୍ତି। ଆଫଗାନିସ୍ତାନର ଏକ ସାମରିକ ବିମାନକୁ ମଧ୍ୟ ଉଜ୍‌ବେକିସ୍ତାନ ସେନା ଆଜି କ୍ଷେପଣାସ୍ତ୍ର ମାଡ଼ରେ ଖସାଇ ଦେଇଛି। ତେବେ ଏ ବାବଦ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ଉପଲବ୍ଧ ହୋଇନାହିଁ। ଗତରାତିରୁ କାବୁଲ ସମେତ ବିଭିନ୍ନ ସହରରେ ଲୁଟ୍‌ପାଟ ଆରମ୍ଭ ହୋଇଯାଇଛି। ସରକାରୀ ସମ୍ପତ୍ତି, ଯାନ ବାହନ ଆଦି ଲୁଟ୍‌ କରିବା ପାଇଁ ଦଳ ଦଳ ହୋଇ ତାଲିବାନ ସମର୍ଥକ ବୁଲୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।
ଇତିମଧ୍ୟରେ ତାଲିବାନ ସରକାରକୁ ଚୀନ୍‌ ଓ ପାକିସ୍ତାନ ସମର୍ଥନ ଘୋଷଣା କରିବା ସହ କାବୁଲରେ ଦୂତାବାସ ଯଥାରୀତି କାର୍ଯ୍ୟ କରିବ ବୋଲି କହିଛନ୍ତି। ଏକ ଚରମପନ୍ଥୀ ଇସ୍‌ଲାମିକ ସଂଗଠନର ସରକାରକୁ ଚୀନ୍‌ର ଖୋଲା ସମର୍ଥନ ବିସ୍ମୟ ସୃଷ୍ଟି କରିଛି। ତାଲିବାନ ସରକାର ସହିତ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ବଢ଼ାଇବାକୁ ଆମେ ବଦ୍ଧପରିକର ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆଜି ବିବୃତି ଜାରି କରିଛନ୍ତି। ନିଜ ଦେଶରେ ଉଇଘର ମୁସ୍‌ଲିମ୍‌ଙ୍କୁ ନିର୍ଯାତନା ନେଇ ଚୀନ୍‌ ବିବାଦ ଘେରରେ ଥିବା ବେଳେ ଏବେ ତାଲିବାନକୁ ସମର୍ଥନ କରି ଦୋମୁହାଁ ନୀତିର ପରିଚୟ ଦେଇଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତାଲିବାନକୁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ତାଲିବାନର ଲଢ଼େଇ ଆଫଗାନିସ୍ତାନକୁ ଦାସତ୍ବର ଶୃଙ୍ଖଳରୁ ମୁକ୍ତି ଦେଇଛି ବୋଲି କହିଛନ୍ତି। ତାଲିବାନର ଏକ ପ୍ରତିନିଧି ଦଳ ସହିତ ପାକ୍‌ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଆଜି ଆଲୋଚନା କରିଛନ୍ତି। ଆଫଗାନିସ୍ତାନରେ ଏବେ ଗୃହ ଯୁଦ୍ଧର ଅବସାନ ଘଟିଛି ଏବଂ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କ୍ୟୁରେସି କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ମଧ୍ୟ କେତେକ କଠୋର ସର୍ତ୍ତ ରଖି ତାଲିବାନ ସରକାରକୁ ମାନ୍ୟତା ଦେଇପାରେ ବୋଲି କୁହାଯାଉଛି। ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ଆଫଗାନ ବାସିନ୍ଦାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆମେରିକା ପ୍ରୟାସ କରିବ ଏବଂ ତାଲିବାନ ସମୁଖରେ ଏ ନେଇ ସର୍ତ୍ତ ରଖିବ।

Share Now:

Kalinga News Beuro

Next Post

ସ୍ୱାଧୀନତା ଦିବସରେ ଆନ୍ଧ୍ରକୁ ଚାପୁଡ଼ା : ଓଡ଼ିଶାରେ ମିଶିବାକୁ ଚାହୁଛନ୍ତି ଆନ୍ଧ୍ରବାସୀ

Tue Aug 17 , 2021
ପଟାଙ୍ଗି : ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ବ ନ ଦେଇ ପଡ଼ୋଶୀ ରାଜ୍ୟର ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ କରୁଛି ଆନ୍ଧ୍ର। କିନ୍ତୁ ଆନ୍ଧ୍ରର ୨୦ଗାଁର ଅବସ୍ଥା ନ କହିବା ଭଲ। ଗାଁକୁ ରାସ୍ତା ନାହିଁ, ପିଇବାକୁ ବିଶୁଦ୍ଧ ଜଳ ମିଳୁନି। ତେଣୁ ଆମେ ଆନ୍ଧ୍ର ଛାଡ଼ି ଓଡ଼ିଶାରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶା ସରକାର ଆମ ନିବେଦନ ଶୁଣନ୍ତୁ। ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି ଆନ୍ଧ୍ରବାସୀ। […]
ଓଡ଼ିଶାରେ ମିଶିବାକୁ ଚାହୁଛନ୍ତି ଆନ୍ଧ୍ରବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial