ରାଜଧାନୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା

ସାମ୍ବାଦିକଙ୍କ ପୁଅକୁ ଅପହରଣ ପରେ ହତ୍ୟା

ଭୁବନେଶ୍ୱର : ଶନିବାର ରାତିରୁ ଅପହରଣ ହୋଇଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଓରଫ୍ ଗୁଡ଼ୁ(୩୧)ଙ୍କ ମୃତଦେହକୁ ରବିବାର ଦିନ ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଗାଁ ନମ୍ରକାନି ପୋଖରୀରୁ ଜବତ କରାଯାଇଛି। ଅପହରଣକାରୀମାନେ ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛନ୍ତି କିମ୍ବା ପୋଖରୀକୁ ଠେଲି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଭୁବନେଶ୍ବର ଏମ୍‌ସରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ସତ୍ୟନଗର ଶ୍ମଶାନରେ ଗୁଡ଼ୁଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ଆପାତତଃ ସ୍ପଷ୍ଟ ହୋଇଥିବାରୁ ଇନ୍‌ଫୋସିଟି ଥାନା ପୁଲିସ ଏକ ଅପହରଣ ଓ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍ ଆରମ୍ଭ କରିଛି। ଗୁଡ଼ୁଙ୍କ କଲ୍‌ ରେକର୍ଡକୁ ଆଧାର କରି ପୁଲିସ ପ୍ରଥମେ ଅପହରଣକାରୀମାନଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁ ନମ୍ରକାନି ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପୁଲିସକୁ ଜଣାଇଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପରେ ଇନ୍‌ଫୋସିଟି ଥାନା ପୁଲିସ ଓ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ମୃତଦେହଟି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ଗୁଡ଼ୁଙ୍କର ବୋଲି ଜଣାପଡ଼ିଥିଲା। ଖବର ପାଇ ନବୀନ ଦାସ ସେଠାରେ ପହଞ୍ଚିବା ପରେ ମୃତଦେହ ଚିହ୍ନଟ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପାଣିରୁ ମୃତଦେହକୁ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍‌ସକୁ ପଠାଯାଇଥିଲା। ମୃତଦେହ ପଞ୍ଚନାମା କରାଯାଇଥିଲା ଓ ଭିସେରା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସେହିଭଳି ଡାୟଟମ୍‌ ପରୀକ୍ଷା ପାଇଁ ପୋଖରୀରୁ ପାଣି ସଂଗ୍ରହ କରାଯାଇଛି।


ଗତ ରାତିରେ କ’ଣ ଘଟିଥିଲା?
ଗତକାଲି ଦିନରୁ ‌ଗୁଡ଼ୁ ବାହାଘର ଡ୍ରେସ୍ କିଣିବା ପାଇଁ ବଜାର ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ। ଇନ୍‌ଫୋସିଟି ଥାନା ଅଞ୍ଚଳ‌ରେ ଥିବା ଜଣେ ସାଙ୍ଗର ଢାବାରେ ବସିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେ ଘରକୁ ଫୋନ୍‌ କରିଥିଲେ ଓ ଫେରିବା ବିଳମ୍ବ ହେବ ବୋଲି କହିଥିଲେ। ପୁଣି କିଛି ସମୟ ପରେ ସେ ମା’ଙ୍କୁ ଫୋନ୍‌ କରି ତାଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ। ଏମିତିକି ଟଙ୍କା ଦାବି କରି ଅପହରଣକାରୀମାନେ ତାଙ୍କୁ ମାର୍‌ପିଟି କରୁଛନ୍ତି ବୋଲି କହିଥିଲେ। ତେଣୁ ତୁରନ୍ତ ଟଙ୍କା ପଠାଇବାକୁ ସେ ମା’ଙ୍କୁ ଆକୁଳ ନିବେଦନ କରିଥିଲେ। ଏଭଳି ଖବର ପାଇବା ପରେ ତୁରନ୍ତ ପରିବାର ପକ୍ଷରୁ ୧୧୨ କୁ ଯୋଗାଯୋଗ କରିବା ସହ ଇନ୍‌ଫୋସିଟି ଥାନାକୁ ମଧ୍ୟ ଜଣାଇ ଦିଆଯାଇଥିଲା। ପୁଲିସ ଗୁଡ଼ୁଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍ କରିବା ଆରମ୍ଭ କରିଥିଲା। ସେତେବେଳକୁ ଉକ୍ତ ଫୋନ୍‌ ତମାଣ୍ଡୋ ଥାନା ଅଞ୍ଚଳରେ ସକ୍ରିୟ ଥିବା ଜଣାପଡ଼ିଥିଲା। ତେଣୁ ପରିବାର ପକ୍ଷରୁ ତମାଣ୍ଡୋ ଥାନା ପୁଲିସ ସହ ଯୋଗାଯୋଗ କରାଯାଇଥିଲା। ଏହା ଭିତରେ ଗୁଡ଼ୁଙ୍କ ମା’ ମଧ୍ୟ ଅନ୍‌ଲାଇନ୍‌ ଜରିଆରେ ଦୁଇଟି ପର୍ଯ୍ୟାୟରେ କିଛି ଟଙ୍କା ପଠାଇଥିଲେ। ଭୋର୍ ପ୍ରାୟ ୪ଟାରେ ଶେଷ ଥର ପାଇଁ ସେ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ ବୋଲି କୁହାଯାଉଛି। ଏମିତିକି ଗୁଡ଼ୁଙ୍କ ଜଣେ ସାଙ୍ଗ ମଧ୍ୟ ଫୋନ୍‌ରେ କଥା ହୋଇଥିଲା ଓ ସେ ଗୁଡ଼ୁକୁ ନେଇ ଘରେ ପହଞ୍ଚାଇବ ବୋଲି କହିଥିଲା। ତେବେ କିଛି ସମୟ ପରେ ଗୁଡୁଙ୍କ ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ତେଣୁ ପରିବାର ଲୋକେ ସନ୍ଦେହ କରି ତୁରନ୍ତ ଇନ୍‌ଫୋସିଟି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ଉକ୍ତ ଢାବା ପାଖରୁ ଗୁଡୁଙ୍କ କାର୍‌ ଠାବ ହୋଇଥିଲା।
ବାହାଘର ଡ୍ରେସ୍ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ
ଗୁଡ଼ୁଙ୍କ ଆକସ୍ମିକ ମୃତ୍ୟୁ ଆଜି କେବଳ ପଟିଆ ଶ୍ରୀବିହାର ନୁହେଁ, ରାଜଧାନୀରେ ବଡ଼ ଦୁଃଖଦ ବାତାବରଣ ସୃଷ୍ଟି କରିଛି। ଆସନ୍ତା ମାସରେ ତାଙ୍କର ବାହାଘର ହୋଇଥାନ୍ତା। ଘରେ ସବୁ ପ୍ରସ୍ତୁତି ଚାଲିଥିଲା। ବାହାଘର ଡ୍ରେସ୍ କିଣିବା ପାଇଁ ଗତକାଲି ନିଜେ ଗୁଡ଼ୁ ବଜାର ଯାଇଥିଲେ। କିନ୍ତୁ ଶେଷରେ ଶବ ହୋଇ ଘରକୁ ଫେରିଲେ। ପରିବାର ଲୋକେ ଭାଙ୍ଗିପଡ଼ିବା ସ୍ବାଭାବିକ। ତେବେ ଶ୍ରୀବିହାରରେ ଆଜି ଦୁଃଖର କଳାବାଦଲ ଛାଇ ଯାଇଥିଲା। ଇନ୍‌ଫୋସିଟି ଅଞ୍ଚଳରୁ ପାତ୍ରପଡ଼ା ଯାଏ ଗୁଡ଼ୁ ପରିଚିତ ଯୁବକମାନଙ୍କ ସହ ଯାଇଥିବା ନିଶ୍ଚିତ। ତେଣୁ ସେମାନେ ହିଁ ଗୁଡ଼ୁ ମୃତ୍ୟୁ ବାବଦରେ ସବୁ କିଛି ଜାଣିଛନ୍ତି ବୋଲି କୁହାଯାଉଛି।

ପାତ୍ରପଡ଼ା ପୋଖରୀକୁ ଗୁଡ଼ୁ ଗଲେ କେମିତି?
ଗୁଡ଼ୁଙ୍କ ଶବ ପାତ୍ରପଡ଼ା ପୋଖରୀକୁ ଗଲା କେମିତି, ତାହା ଏକ ବଡ଼ ରହସ୍ୟ ହୋଇ ଛିଡ଼ାହୋଇଛି। ଗାଁ ଭିତର ପାର୍‌ ହୋଇ ଯେଉଁମାନେ ତାଙ୍କୁ ସେଠାକୁ ନେଲେ, ସେମାନେ ଉକ୍ତ ରାସ୍ତା ସହ ପରିଚିତ ଥିବା ଅନୁମାନ କରାଯାଉଛି। ସେହିଭଳି ଭୋର୍ ୪ଟା ପର୍ଯ୍ୟନ୍ତ ଗୁଡ଼ୁ ପରିବାର ଲୋକଙ୍କ ସହ କଥା ହୋଇଥିବାରୁ ଜଣାପଡ଼ୁଛି ସେତେବେଳ ପର୍ଯ୍ୟନ୍ତ ଗୁଡ଼ୁ ପୋଖରୀ ପାଖରେ ଥିଲେ। ତେଣୁ ଭୋର୍ ସମୟ ହୋଇଥିବାରୁ କେହି ନା କେହି ଗାଁ ଲୋକେ ସେମାନଙ୍କୁ ଦେଖିପାରିଲେ ନାହିଁ କେମିତି ବୋଲି ଚର୍ଚ୍ଚା ହେଉଛି।
ପୁଲିସ ତଦନ୍ତ ଆରମ୍ଭ
ପାତ୍ରପଡ଼ା ପୋଖରୀରୁ ଗୁଡ଼ୁଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପୋଖରୀ ଭିତରକୁ ଫିଙ୍ଗି ଦିଆଯାଇଛି କିମ୍ବା ପାଣିରେ ବୁଡ଼ାଇ ମାରି ଦିଆଯାଇଛି ବୋଲି ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ତାଙ୍କ ପକେଟ୍‌ରେ ଗାଡ଼ି ଚାବିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ଜିନିଷ ମିଳିଛି। କିନ୍ତୁ ମୋବାଇଲ୍‌ ଫୋନ୍‌ ମିଳିପାରିନାହିଁ। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଣିରୁ ମୋବାଇଲ୍‌ ଫୋନ୍‌ ପାଇନାହିଁ। ଅପହରଣକାରୀମାନେ କେତେ ଟଙ୍କା ଦାବି କରିଥିଲେ, ଜଣାପଡ଼ିନାହିଁ। ସେହିଭଳି ଗୁଡ଼ୁଙ୍କ ମା’ ଫୋନ୍‌ଯୋଗେ ଅନ୍‌ଲାଇନ୍‌ରେ କେତ ଟଙ୍କା ପଠାଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ହତ୍ୟାକାଣ୍ଡ ପଛରେ କେବଳ ଟଙ୍କା ଆଦାୟ କରିବା କାରଣ ରହିଛି ନା ଆଉ କିଛି କଥା ରହିଛି, ତାହା ବଡ଼ ଜଟିଳ ପ୍ରସଙ୍ଗ ବୋଲି ଅନୁମାନ କରାଯାଉଛି। ଏହି ହତ୍ୟାକାଣ୍ଡ ପଛରେ ଗୁଡ଼ୁଙ୍କ କେହି ପରିଚିତ ଥିବା ଅନୁମାନ କରାଯାଉଛି। ଗୁଡ଼ୁ କାହା ସହିତ କାର୍‌ରେ ଯାଇଥିଲେ, ତାକୁ ଠାବ କରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି। ସେହିଭଳି ଫୋନ୍‌ରେ ପରିବାର ଲୋକଙ୍କ ସହ କଥା ହୋଇଥିବା ଗୁଡୁଙ୍କ ବନ୍ଧୁ ଜଣକ କିଏ, ତାକୁ ବି ପୁଲିସ ଖୋଜୁଛି। ଇନ୍‌ଫୋସିଟି ଥାନାର ଏକ ଟିମ୍ ଓ ସ୍ପେସାଲ୍ ସ୍କ୍ବାଡ୍ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ସୂତ୍ର ମୁତାବକ, ଗୁଡ଼ୁ ସନ୍ଧ୍ୟା ବେଳେ ବସିଥିବା ଢାବାର ମାଲିକଙ୍କୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର ଏକାଧିକ ସିସି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି। ଗୁଡ଼ୁଙ୍କୁ ନେଇ ପାତ୍ରପଡ଼ା ଅଭିମୁଖେ ଯାଇଥିବା କାର୍‌ର ପତ୍ତା ପାଇବା ପାଇଁ ପୁଲିସ ପାତ୍ରପଡ଼ା ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଖୁବ୍‌ ଶୀଘ୍ର ମାମଲାର ପର୍ଦ୍ଦାଫାସ୍‌ କରାଯିବ।

Share Now:

Kalinga News Beuro

Next Post

ପାର୍ବଣ ପାଇଁ ରାତି ୮ଟା ପରେ ବନ୍ଦ ହେବ ‘ମୋ ବସ୍‌’ ସେବା

Mon Oct 11 , 2021
ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ। ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍‌ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ରାତି ୮ଟା ପରେ ଆଉ ମୋ ବସ୍‌ ସେବା ଉପଲବ୍ଧ ହେବ ନାହିଁ। ଏଥିପାଇଁ ସମସ୍ତ ରୁଟ୍‌ରେ ବସ୍‌ ଛାଡ଼ିବା ଓ ପହଞ୍ଚିବା ସମୟ ପରିବର୍ତ୍ତନ କରାଯାଇଛି। ମୋ ବସ୍‌ ଆପ୍‌ […]
‘ମୋ ବସ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial