ଯୁବ ସାମ୍ବାଦିକଙ୍କୁ ମାଡ଼ମାରି ବୁମ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

ମାଡ଼ମାରି ବୁମ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

ଧଉଳି: ଆଜି ମଧ୍ୟାହ୍ନରେ ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ନିକଟରେ ଜଣେ ଦୁର୍ବୃତ୍ତ ଯୁବ ସାମ୍ବାଦକଙ୍କୁ ମାଡ଼ମାରି ବୁମ୍‌ ଛଡ଼ାଇ ନେଇଛି। ଏସଂପର୍କରେ ସଂପୃକ୍ତ କର୍ତ୍ତବ୍ୟରତ ସାମ୍ବାଦିକ ସନ୍ତୋଷ କୁମାର ଚିହ୍ନରା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ସନ୍ତୋଷଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। ଦୁର୍ବୃତ୍ତ ଜଣକ ବୁମ ଛଡ଼ାଇ ନେବାପରେ ଫିଙ୍ଗି ଦେଇଥିବା ଭାବି ଉକ୍ତ ସ୍ଥାନରେ ଦୀର୍ଘ ସମୟ ଧରି ଅନ୍ୟ ପୁଲିସଙ୍କ ସହ ଖୋଜାଖୋଜି କରିଥିଲା। ହେଲେ ବୁମ୍‌ ନମିଳିବାରୁ ଫେରି ଯାଇଥିଲା। ଥାନାରେ ଅଭିଯୋଗ ହେବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଏଯାଏ ଗିରଫ କରିପାରି ନାହିଁ। ଅଭିଯୁକ୍ତ ଯୁବକଙ୍କ ସ୍କୁଟି ନମ୍ବରକୁ ଭିତ୍ତିକରି ପୁଲିସ ତାଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ଯୁବ ସାମ୍ବାଦିକ ସନ୍ତୋଷ ଏକ ୱବ୍ ଚ୍ୟାନେଲରେ କାର୍ଯ୍ୟ କରନ୍ତି। ଆଜି ବାଳକାଟି ବଜାରରେ ଏମଭି ଚେକିଂ ସଂପର୍କରେ ଖବର ପାଇ ସନ୍ତୋଷ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ଆଉ ସେଠାରେ ନିଜ ମୋବାଇଲ ଫୋନରେ ଭିଡ଼ିଓ ସୁଟିଂ କରୁଥିବା ବେଳେ ହେଲମେଟ ପିନ୍ଧିନଥିବା ଜଣେ ଯୁବକ କାହିଁକି ଭିଡ଼ିଓ ରେକଡ଼ିଂ କଲୁ କହି ତାଙ୍କ ସହ ପାଟିତୁଣ୍ଡ କରିଥିଲା। ଏହାପରେ ସନ୍ତୋଷ ସେଠାରୁ ବାଇକ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ପିଛା କରିଥିଲା। ସରଦେଇପୁର ଗ୍ରାମ ନିକଟରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ସନ୍ତୋଷକୁ ଅଟକାଇ ମାଡ଼ମାରିବା ସହ ବାଇକ ଆଗରେ ମାରିଥିବା ତାଙ୍କ ବୁମ ଛଡାଇ ନେଇ ପଳାଇଥିଲା। ଶେ‌ଷ ଖବର ମୁତାବକ ରାତି ସୁଦ୍ଧା ପୁଲିସ ଯୁବକଙ୍କୁ ଚିହ୍ନଟ କରି ସନ୍ତୋଷଙ୍କ ବୁମ ଉଦ୍ଧାର କରିପାରି ନଥିବା ଜଣାପଡ଼ିଛି। ପୁଲିସ କମିସନର ତୁରନ୍ତ ଦୃଷ୍ଟି ଦେବାକୁ ଶ୍ରୀ ଜୟଦେବ ପ୍ରେସ ୟୁନିୟନର ସଭାପତି ନିରଞ୍ଜନ ସେନାପତି ଦାବି କରିଛନ୍ତି।

Share Now:

Kalinga News Beuro

Next Post

"ମୁଁ ଦସ୍ତଖତ କରିଦେଇଥିଲେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା": ନିଶ୍ଚଳାନନ୍ଦ ସରସ୍ୱତୀ

Sat Oct 30 , 2021
ଗୋରଖପୁର: ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଦାବି କରିଛନ୍ତି ଯେ ଯଦି ମୁଁ ରାମାଳୟ ଟ୍ରଷ୍ଟରେ ଦସ୍ତଖତ କରିଥା’ନ୍ତି, ତେବେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ହୋଇଥାନ୍ତା। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଜୀବିତ ଥାନ୍ତେ, ସେ ଏ ବିଷୟରେ କହିଥାନ୍ତେ। ସେ କହିଛନ୍ତି ଯେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ପାଇଁ ଯୋଜନା ଥିଲା, କିନ୍ତୁ ମୁଁ ଏଥିରେ ଦସ୍ତଖତ କରି […]
ନିଶ୍ଚଳାନନ୍ଦ ସରସ୍ୱତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial