୪୦ ବର୍ଷରେ ‌ରେଙ୍ଗାଳି, ୧୩ ବର୍ଷରେ ନବୀନଙ୍କ ଘୋଷଣା : କ୍ଷତିପୂରଣ ପାଇବାରୁ ଆଜି ବି ବଞ୍ଚିତ ବିସ୍ଥାପିତ

୪୦ ବର୍ଷରେ ‌ରେଙ୍ଗାଳି

ପାଳଲହଡ଼ା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିବ ରେଙ୍ଗାଳି ବୁଡ଼ି ଅଞ୍ଚଳ ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ। ସଂଘର ସଭାପତି ଡ. ସନ୍ତୋଷ ଦେହୁରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇ ନଥିବାରୁ ଏଭଳି ପଦ‌କ୍ଷେପ ନେବାକୁ ସେମାନେ ବାଧ୍ୟ ହୋଇଥିବା ଡ. ଦେହୁରୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଭାଇରାଲ ହୋଇଛି। ଆସନ୍ତା ୧୧ ତାରିଖରେ ୫-ଟି ସଚିବ ପାଳଲହଡ଼ା ଗସ୍ତରେ ଆସୁଥିବା ବେଳେ ପ୍ରଶାସନିକ ମହଲରେ ବି‌ରୋଧ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ୧୯୮୫ରେ ନିର୍ମିତ ରେଙ୍ଗାଳି ଡ୍ୟାମ୍‌କୁ ଇତିମଧ୍ୟରେ ୪୦ବର୍ଷ ପୂରିବାକୁ ବସିଛି। ସେତେବେଳେ ପାଳଲହଡ଼ା ଓ ଦେବଗଡ଼ ଜିଲ୍ଲାର ୨୬୩ଟି ଗାଁ ଏଥିରେ ବୁଡ଼ି ଯାଇଥିଲା। ପ୍ରାୟ ୧୧ହଜାର ପରିବାର ବାସଚ୍ୟୁତ ହୋଇଥିଲେ। ଏତେବଡ଼ ତ୍ୟାଗ କରିଥିବା ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା କିନ୍ତୁ ଆଜିଯାଏଁ ଉଚିତ ପ୍ରାପ୍ୟ ପାଇନାହାନ୍ତି। ୨୦୧୦ ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପରିବାର ପିଛା ୫୦ହଜାର ଟଙ୍କା ଦେବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଦୀର୍ଘବର୍ଷ ଧରି ଏହା କାର୍ଯ୍ୟକାରୀ ନ ହେବାରୁ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଡ. ସନ୍ତୋଷ ଦେହୁରୀଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ର ହୋଇଥିଲା। ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଦାବି ପୂରଣ ପାଇଁ ଆମରଣ ଅନଶନ କରିଥିଲା ସଂଘ।
ତେବେ ଏହି ଅନଶନରେ ଖାଲି କ୍ଷତିଗ୍ରସ୍ଥ ପ୍ରଜାମାନେ ସାମିଲ ହୋଇ ନଥିଲେ ବରଂ ଶାସକ ଓ ବି‌ରୋଧୀ ଦଳ ବି ସମର୍ଥନ ଦେଇଥିଲେ। ତତ୍କାଳୀନ ବିଜେପି ସମର୍ଥିତ ପଞ୍ଚା‌ୟତ ସମିତି ଅଧ୍ୟକ୍ଷ ତଥା ବର୍ତ୍ତମାନର ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଅନଶନସ୍ଥଳୀରେ ବସି ଆନ୍ଦୋଳନକୁ ଖୋଲା ସମର୍ଥନ ଜଣାଇଥିଲେ। ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ସାଂସଦ ମହେଶ ସାହୁ ମଧ୍ୟ ଆନ୍ଦୋଳନସ୍ଥଳକୁ ଆସିଥିଲେ। ପ୍ରାକ୍ତନ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କ ସହ ଶ୍ରୀ ସାହୁ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା। ଆଜିର ଦିନରେ ବିଜେପି ଛାଡ଼ି ଶ୍ରୀ ପାଳ ବିଜେଡିକୁ ଆସି ବିଧାୟକ ହୋଇଛନ୍ତି। ଶ୍ରୀ ସାହୁ ବିଧାୟକରୁ ସାଂସଦ ହୋଇଛନ୍ତି। ଉଭୟଙ୍କ ପତିଆରା ବଢ଼ିଛି ସତ ହେଲେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦୀର୍ଘବର୍ଷ ତଳେ ମିଳିଥିବା ପ୍ରତିଶ୍ରୁତି ପାଳନ ହୋଇ ନଥିବା ସଂଘ ଅଭିଯୋଗ କରିଛି। ଡ୍ୟାମ୍ ନିର୍ମାଣକୁ ୪୦ବର୍ଷ ପୂରିବାକୁ ବସିଛି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଆଜି ୧୩ ବର୍ଷ ପୂରିଛି। ତଥାପି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ଆଜି ବି ନିଜର ଉଚିତ ପ୍ରାପ୍ୟ ପାଇବାକୁ ଚାହିଁ ବସିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଲୋକ ପ୍ରାପ୍ୟକୁ ଚାହିଁ ଚାହିଁ ଆଖି ବୁଜିସାରିଲେଣି ତାର ହିସାବ ନାହିଁ। ତେବେ ସରକାର ସେମାନଙ୍କ ସହ ପ୍ରତାରଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ସଂଘ ବିରୋଧ କରିବ ବୋଲି ସଫା ସଫା କହିଛି। ଏନେଇ ସଂଘ ସଭାପତିଙ୍କ ଫେସବୁକ୍ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ଷତିଗ୍ରସ୍ତ ପ୍ରଜା ଏହାକୁ ସମର୍ଥନ କରୁଥିବା ବି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଡ. ଦେହୁରୀଙ୍କୁ ପଚାରିବାରେ ସେ ଏହାକୁ ସ୍ୱୀକାର କରିଛନ୍ତି। ୫-ଟି ସଚିବଙ୍କ ଗସ୍ତ ସମୟରେ ସଂଘ ପକ୍ଷରୁ ଟାଉନ୍‌ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା କାଙ୍ଗାଳ ହୋଇ ବୁଲୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ ନାହିଁ କାହିଁକି ବୋଲି ସେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଏହାକୁ ନେଇ ପ୍ରଶାସନିକ ମହଲରେ ଆଲୋଡ଼ନ ଖେଳିଯାଇଛି। ସୋସିଆଲ ମିଡିଆ ପୋଷ୍ଟ ନେଇ ପ୍ରଶାସନ ଗୁରୁତର ସହ ବିଚାର କରୁଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

Mon Jul 10 , 2023
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ପରିଣତ କରାଯିବା ଦାବି କରି ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦିଆଯାଇଅଛି। ଦୀର୍ଘ ୬୦ଦିନ ଧରି ସତ୍ୟାଗ୍ରହ କରିବା ପରେ ଆଜି ୧୦ ତାରିଖ ଠାରୁ ଏହି ବନ୍ଦକୁ ବିଭିନ୍ନ ଗ୍ରାମ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସହଯୋଗ ମିଳିଛି। ୫୭ […]
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial