ପାର୍କିଂ ନ ଥିଲେ କାର୍ଯ୍ୟାନୁଷ୍ଠାନ, ମାସେ ପରେ ସିଲ୍‌ ହେବ : ବିଏମ୍‌ସିର ଚେତାବନୀ

ପାର୍କିଂ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପାର୍କିଂ ଜାଗା ‌ଦେଖାଇ ବିଲ୍ଡିଂ ପ୍ଲାନ୍‌ ନେଲେ। ହେଲେ ପାର୍କିଂ ପାଇଁ ଉଦ୍ଦିଷ୍ଟ ଜାଗାକୁ ବେପାରରେ ଲଗାଇ କୋଟି କୋଟି ଟଙ୍କା ରୋଜଗାର କଲେ। ଏଣେ ରାସ୍ତାକଡ଼ରେ ସରକାରୀ ଜାଗାରେ ପାର୍କିଂ ହେଲା। ଟ୍ରାଫିକ୍‌ ପରିଚାଳନାରେ ଘାଣ୍ଟି ହେଲା ପୁଲିସ। ଦୁର୍ଘଟଣାର ଶିକାର ହେଲେ ସାଧାରଣ ଲୋକ। ଏଭଳି ବାରମ୍ବାର ଅଭିଯୋଗ ଆସିବା ପରେ ବିଏମ୍‌ସି ଆଜି ଏକ ସର୍ବସାଧାରଣରେ ବିଜ୍ଞପ୍ତି ଜାରି କରିଛି। ଏଥିରେ ଘରମାଲିକମାନଙ୍କୁ ଚରମବାଣୀ ଶୁଣାଇଛି। ପାର୍କିଂ ଜାଗା ଦେଖାଇ କୋଠା ନିର୍ମାଣ ପ୍ଲାନ୍‌ ଅନୁମୋଦନ ପାଇବା ପରେ ପାର୍କିଂ ଜାଗାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ନୋଟିସ୍‌ରେ ଚେତାବନୀ ଦିଆଯାଇଛି। ଖିଲାପକାରୀଙ୍କୁ ମାସେ ସମୟ ଦିଆଯାଇଛି। ମାସେ ଭିତରେ ବିଏମ୍‌ସି ତଥ୍ୟ ସଂଗ୍ରହ କରିବ। ମାସେ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯିବ। ଖିଲାପକାରୀଙ୍କୁ ଗତବର୍ଷ ନଭେମ୍ବର ୨୦ ତାରିଖରେ ନୋଟିସ୍‌ କରିଥିଲା। ୧୦ଦିନ ଭିତରେ ଅର୍ଥାତ୍‌ ଡିସେମ୍ବର ୩୦ ତାରିଖ ସୁଦ୍ଧା ଏହି ବ୍ୟବସାୟୀମାନେ ପାର୍କିଂ ଜାଗା କେବଳ ପାର୍କିଂ ପାଇଁ ବ୍ୟବହାର ହେଉଥିବା ଦେଖାଇବେ। ଏହା ହେଉନଥିଲେ ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ଓଡିଏ (ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି) ଆଇନ ଧାରା ୯୨ ବଳରେ ସେମାନଙ୍କ ନାମରେ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ପ୍ରତିଷ୍ଠାନକୁ ସିଲ୍‌ କରିବ ବୋଲି କୁହାଯାଇଥିଲା। ହେଲେ କେଉଁ ଅଦୃଶ୍ୟ ଚାପରେ ବିଏମ୍‌ସି ଚେପା ହୋଇଗଲା। ବିଏମ୍‌ସି ଜରିମାନା ଆଦାୟ ବା ମାମଲା ରୁଜୁ କରିବା ପଛକଥା, ଜଣେ ହେଲେ କାହାକୁ ନୋଟିସ୍‌ଟିଏ ମଧ୍ୟ କରିପାରିଲା ନାହିଁ। ବଡ଼ ବଡ଼ ବ୍ୟବସାୟୀମାନଙ୍କୁ କେବଳ ଭୟଭୀତ କରାଇବା ପାଇଁ ନୋଟିସ୍‌‌ କରି ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ନିରବ ରହିଗଲେ ବୋଲି ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ଅଧିକାଂଶ ବଡ଼ବଡ଼ିଆ ଏଭଳି ପ୍ଲାନ୍‌ ଉଲ୍ଲଂଘନ କରିଥିବାରୁ ବିଏମ୍‌ସି ସେମାନଙ୍କ କୋଠାରେ ହାତ ମାରିପାରିଲା ନାହିଁ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଏହି ଘଟଣାର ୮ ମାସ ପରେ ବିଏମ୍‌ସିର ପୁଣି ନିଦ ଭାଙ୍ଗିଛି। ଦ୍ଵିତୀୟ ଥର ପାଇଁ ବିଏମ୍‌ସି ନୋଟିସ୍‌ ଜାରି କରିଛି। ଏଥର କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଛି।
ତେବେ କେବଳ ବିଏମ୍‌ସି ନୁହେଁ, ବିଡିଏ ମଧ୍ୟ ଏଭଳି ଅଣ୍ଟା ଭିଡ଼ିଥିଲା। ୨୦୧୯ ମସିହାରେ ଅନୁରୂପ ଢଙ୍ଗରେ ବିଡିଏ ଏକ ବିଜ୍ଞପ୍ତି ଜାରି କରିଥିଲା। ବିଡିଏର ଆକଳନ ଅନୁଯାୟୀ, ଜନପଥ, ବାପୁଜୀନଗର, କଟକ ରୋଡ୍‌, ସହିଦନଗର, ସତ୍ୟନଗର, ଇନ୍ଦ୍ରଧନୁ ମାର୍କେଟ୍, ଜାଗମରା, ଜୟଦେବବିହାର ନନ୍ଦନକାନନ ରୋଡ୍‌ରେ ପ୍ରାୟ ୨୦୦୦ରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ ପାର୍କିଂ ପାଇଁ ନେଇଥିବା ଜାଗାକୁ ବେପାରରେ ଲଗାଇଥିଲେ। ଜନପଥରେ କେବଳ ୫୦୦ରୁ ଅଧିକ ପ୍ରତିଷ୍ଠାନ ରହିଥିଲା। ଏଠାରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ପ୍ରାୟ ୧୨ ଲକ୍ଷ ୫୦ ହଜାର ବର୍ଗଫୁଟ୍‌ ଅଞ୍ଚଳ ବେପାରରେ ଲାଗିଥିବା ପ୍ରାରମ୍ଭିକ ଆକଳନ କରିଥିଲା ବିଡିଏ। କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଏ ସଜବାଜ ହୋଇଥିଲା। ହେଲେ ମାତ୍ର କେଇଟା ଦିନ ପରେ ସବୁ ନିରବ ହୋଇଯାଇଥିଲେ। ବିଡିଏ ବି ଗୋଟିଏ ହେଲେ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲା।

Share Now:

Kalinga News Beuro

Next Post

ମହର୍ଷି କଲେଜ ପକ୍ଷରୁ ଓଡ଼ିଶାର ପ୍ରଥମ ଆଲୁମିନି ସେଲ ଗଠିତ

Thu Jul 27 , 2023
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ମହର୍ଷି କଲେଜ ଆଲୁମିନି ପକ୍ଷରୁ ମୋ କଲେଜ ସଂଯୋଜିକା ଡକ୍ଟର ନମିତା ପଟ୍ଟନାୟକଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରାଯାଇଥିଲା। ଏହି ସାକ୍ଷାତ ସମୟରେ ମହର୍ଷି କଲେଜ ପକ୍ଷରୁ ଓଡ଼ିଶାର ପ୍ରଥମ ଆଲୁମିନି ସେଲ ଗଠନ ପାଇଁ ପ୍ରସ୍ତାବ ଦିଆଯିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଗଠନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। […]
ମହର୍ଷି କଲେଜ ଆଲୁମିନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial