ହୋଟେଲରେ ଯୁବତୀଙ୍କ ଝୁଲନ୍ତା ମୃତଦେହ : ପୁଲିସ ପହଞ୍ଚିବା ପୂର୍ବରୁ ଭଙ୍ଗାଯାଇଛି କବାଟ

ହୋଟେଲରେ ଯୁବତୀଙ୍କ ଝୁଲନ୍ତା ମୃତଦେହ

ଦୀପାଳୀ ହୋଟେଲରେ ଘଟିଛି ଘଟଣା, ବାର୍‌ରେ କାମ କରିବାକୁ ଆସିଥିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଥିବା ଦୀପାଳି ବାର୍‌ରୁୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଛି। ମୃତ ଯୁବତୀ ହେଲେ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)। ହୋଟେଲର ଏକ ରୁମ୍‌ରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦେବା ସହ ଦୀପାଳି ହୋଟେଲରେ ଛାନଭିନ୍ କରୁଛି। ହୋଟେଲ ଓ ବାର୍‌ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚରାଉଚରା କରାଯାଉଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ମିଳିଥିବା ରୁମ୍‌ରୁ ଏକ ମୋବାଇଲ ଫୋନ୍‌କୁ ଜବତ କରାଯାଇଛି। ପୁଲିସର ସୂଚନା ଅନୁସାରେ, ଶୁଭଲକ୍ଷ୍ମୀ ଗତକାଲି ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ। ଅତିଥି ରେଜିଷ୍ଟରରେ ତାଙ୍କର ନାଁ ଥିବାବେଳେ ସେ ହୋଟେଲର ୨୦୫ ନମ୍ବର ରୁମରେ ରହୁଥିବା ଉଲ୍ଲେଖ ଅଛି। ଉକ୍ତ ହୋଟେଲରେ ଥିବା ବାର୍‌ରେ ସେ କାମ କରିବାକୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭାସ୍କର ପୁଲିସକୁ ଦେଇଥିବା ବୟାନ ଅନୁସାରେ, ଆଜି ସକାଳୁ ଶୁଭଲକ୍ଷ୍ମୀ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇବାରୁ ବି କୌଣସି ଉତ୍ତର ମିଳି ନଥିଲା। ତେଣୁ ଅପରାହ୍ନ ପ୍ରାୟ ୫ଟାରେ ସେ କବାଟକୁ ଜୋର୍‌ରେ ଠେଲିବାରୁ ଭିତରପଟୁ ଦିଆ ଯାଇଥିବା ହୁକ୍‌ ଭାଙ୍ଗି ଯାଇଥିଲା। ତା’ପରେ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହକୁ ଦେଖିବାକୁ ପାଇଥିଲେ।
ଏହାପରେ ଲକ୍ଷ୍ମୀସାଗର ଥାନାକୁ ଖବର ଦିଆ ଯାଇଥିଲା ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଏହି ଘଟଣା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଗତକାଲି ବାର୍‌ରେ କାମ କରିବାକୁ ଆସିଥିବା ଶୁଭଲକ୍ଷ୍ମୀ ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ କାହିଁକି? କାମ କରିବାକୁ ଆସିଥିବା ଶୁଭଲକ୍ଷ୍ମୀ ପ୍ରତାରଣାର ଶିକାର ହେବାରୁ ଏପରି ନିଷ୍ପତ୍ତି ନେଲେ କି? କେହି ତାଙ୍କୁ ନିର୍ଯାତନା ଦେଇଥିଲା କି? ଯଦି ରୁମ କବାଟ ଖୋଲୁ ନଥିଲେ, ତା’ହେଲେ ମ୍ୟାନେଜର କାହିଁକି ପୁଲିସକୁ ଖବର ଦେଇ ନଥିଲେ? ଶୁଭଲକ୍ଷ୍ମୀ ସକାଳୁ ରୁମରୁ ବାହାରି ନ ଥିଲେ ମଧ୍ୟ ଅପରାହ୍ନ ଯାଏଁ କାହିଁକି ଅପେକ୍ଷା କରିଥିଲେ ହୋଟେଲ କର୍ତ୍ତୃପକ୍ଷ?
ହୋଟେଲର ସିସିଟିଭି ଯାଞ୍ଚ ହେଲା ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡ଼ିବ ବୋଲି ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଜବତ ମୋବାଇଲ ଫୋନରୁ ମଧ୍ୟ କିଛି ତଥ୍ୟ ମିଳିବ ବୋଲି ଆଶା କରା ଯାଉଛି। ସେ କଥା ହୋଇଥିବା ଲୋକ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ହ୍ବାଟସଆପ୍ ମେସେଜ୍ କିମ୍ବା ଭିଡିଓ କଲ୍ ହୋଇଛି କି ନାହିଁ ସେ ଦିଗକୁ ମଧ୍ୟ ପୁଲିସ ତଦନ୍ତ ପରିସରକୁ ନେବ। ପରିବାର ଲୋକ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ସବୁ ଦିଗକୁ ତଦନ୍ତ କରାଗଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ରାତିସାରା ଝୁଲିଲା ମୃତଦେହ
ପୁଲିସ ଘଟଣାସ୍ଥଳ ଯାଞ୍ଚ କରିଥିଲେ ମଧ୍ୟ ପରିବାର ଲୋକ ପହଞ୍ଚି ନଥିବାରୁ ମୃତଦେହ ତଳକୁ ଓହ୍ଲାଇ ନାହିଁ। ଆଜି ରାତିରେ ପରିବାର ଲୋକ ପହଞ୍ଚିବେ ବୋଲି ଜଣାପଡ଼ିଛି। କାଲି ସକାଳେ ସେମାନଙ୍କୁ ସାଙ୍ଗରେ ନେଇ ପୁଲିସ ଘଟଣାସ୍ଥଳକୁ ଯିବ। ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ପଞ୍ଚନାମା କରାଯିବ। ଏହା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯିବ। ଆଜି ସକାଳୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ସେମିତି ଝୁଲି ରହିବ।
ରାଜଧାନୀ ବାର୍‌ରେ ୧୦୦ରୁ ଅଧିକ ଡ୍ୟାନ୍ସର
ମୃତ ଯୁବତୀ ଜଣକ ଦୀପାଳି ହୋଟେଲରେ ଥିବା ବାର୍‌ରେ କାମ କରିବାକୁ ଆସିଥିଲେ ବୋଲି କୁହା ଯାଉଥିବାବେଳେ ସେ ନିର୍ଦ୍ଦିଷ୍ଟ ଭାବେ କୋଉ କାମ କରିବାକୁ ଆସିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍‌ ୧୪ଟି ବାର୍‌କୁ ଡ୍ୟାନ୍ସର ରଖିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ସମସ୍ତ ବାର କଟକ ରୋଡରେ ରହିଛି। ଏହି ବାରଗୁଡ଼ିକରେ ୧୦୦ରୁ ଅଧିକ ଯୁବତୀ ଡ୍ୟାନ୍ସର ଭାବେ କାର୍ଯ୍ୟରତ ଅଛନ୍ତି। ବାର୍‌ ଡ୍ୟାନ୍ସରମାନେ ଓଡ଼ିଶା ସମେତ ରାଜ୍ୟ ବାହାରୁ ଆସୁଥିବା ଜଣାପଡ଼ିଛି। ଭୁବନେଶ୍ୱରର ବାର୍‌ଗୁଡ଼ିକରେ କାମ କରୁଥିବା ଅନ୍ୟ ରାଜ୍ୟର ଡାନ୍ସରମାନେ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପଞ୍ଜାବର। ବାର୍‌ ଡ୍ୟାନ୍ସରମାନେ ଦଲାଲଙ୍କ ଜରିଆରେ ବିଭିନ୍ନ ବାରରେ କାମ କରିଥାନ୍ତି। ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଟଙ୍କା ଦିଆଯାଇଥାଏ। ପ୍ରତି ସପ୍ତାହରେ ବାର୍‌ ଡ୍ୟାନ୍ସରମାନେ ଅଲଗା ଅଲଗା ବାର୍‌ରେ ଡ୍ୟାନ୍ସ କରୁଥିବା ଦେଖା ଯାଉଛି। ସେମାନେ ଭୁବନେଶ୍ୱରରେ ରହିବା ଠାରୁ କାମ ପାଇଁ ବାର୍‌ର ବ୍ୟବସ୍ଥା ଦଲାଲମାନେ କରୁଥିବା ଜଣାପଡ଼ିଛି। ବାର୍‌ ଡ୍ୟାନ୍ସରମାନଙ୍କୁ ଯେତିକି ଟଙ୍କା ମିଳେ, ସେଥିରୁ ଦଲାଲ କମିସନ ପାଆନ୍ତି। ଡାନ୍ସରମାନେ ରାତିକୁ ୨ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପାଉଣା ପାଆନ୍ତି। କେତେକ ରାତିକୁ ୨୦ ହଜାର ପର୍ଯ୍ୟନ୍ତ ପାଆନ୍ତି ଏବଂ ପ୍ରସିଦ୍ଧି ଥିବା ଅଳ୍ପକିଛି ବାର୍‌ ଡ୍ୟାନ୍ସରଙ୍କୁ ଆହୁରି ଅଧିକ ଟଙ୍କା ଦିଆଯାଉଥିବା ଶୁଣାଯାଏ। ତେବେ ସେମାନେ କୌଣସି ଦଲାଲ ଜରିଆରେ ଆସି ନଥାନ୍ତି। ବାର୍‌କୁ ଆସୁଥିବା ନିୟମିତ ଗ୍ରାହକଙ୍କ ବରାଦ ଅନୁସାରେ ମଧ୍ୟ ନିର୍ଦ୍ଦିଷ୍ଟ ଡ୍ୟାନ୍ସରମାନଙ୍କୁ ଅଣାଯାଇଥାଏ। ନିୟମିତ ପାଉଣା ବାହାରେ ଗ୍ରାହକ/ଦର୍ଶକମାନେ ଖୁସିହୋଇ ଦେଉଥିବା ବକ୍‌ସିସ୍‌ରୁ ମଧ୍ୟ ଡ୍ୟାନ୍ସରମାନେ ଭାଗ ପାଆନ୍ତି।

Share Now:

Kalinga News Beuro

Next Post

ଓଡ଼ମାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ବିଭିନ୍ନ ଜିଲ୍ଲାରୁ ଯୋଗଦେଲେ ୫୦ରୁ ଉର୍ଦ୍ଧ୍ୱ ସଦସ୍ୟ

Sun Aug 6 , 2023
ଭୁବନେଶ୍ୱର: ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ଉପସଭାପତି ସୁନୀଲ କୁମାର ଦେ ଯୋଗ ଦେଇ ରାଜ୍ୟ କାର୍ଯ୍ୟକାରିଣୀର ବିଭିନ୍ନ ଦିଗ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଭ୍ୟ ସଂଗ୍ରହ ଉପରେ ଜୋର […]
ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial