୩ ଲାଇନ ବିଶିଷ୍ଟ ହେବ ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ରେଳପଥ

୭ ରେଳ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ। ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ। ରାଜ୍ୟବାସୀଙ୍କୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ନିମ୍ନରେ ଦିଆଗଲା:
୧. ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର ବର୍ତ୍ତମାନର ଲାଇନର ଦୋହରୀକରଣ
୨. ସୋନ ନଗର-ଅଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରେଳଧାରଣାର ସଂଖ୍ୟା ବୃଦ୍ଧି
୩. ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ୩ ଲାଇନ ବିଶିଷ୍ଟ କରିବା
୪. ମୁଦଖେଡ଼-ମେଦଚାଲ ଏବଂ ମହବୁବନଗର-ଧୋନେ ବର୍ତ୍ତମାନର ଲାଇନର ଦୋହରୀକରଣ
୫. ଗୁଣ୍ଟୁର-ବିବିନଗର ବର୍ତ୍ତମାନର ଲାଇନର ଦୋହରୀକରଣ
୬. ଚୋପାନ-ଚୁନୁର ବର୍ତ୍ତମାନର ଲାଇନର ଦୋହରୀକରଣ
୭. ସମାଖିଆଲି-ଗାନ୍ଧୀଧା ଚାରି ଲାଇନ୍‌ ନିର୍ମାଣ
ଖାଦ୍ୟଶସ୍ୟ, ସାର, କୋଇଲା, ସିମେଣ୍ଟ, ଫ୍ଲାଇ-ଆଶ, ଲୁହା ଓ ପ୍ରସ୍ତୁତ ଇସ୍ପାତ, କ୍ଲିଙ୍କର, ଅଶୋଧିତ ତୈଳ, ଚୁନା ପଥର, ଖାଇବା ତେଲ ଇତ୍ୟାଦି ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ୨୦୦ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସଂକଳ୍ପ ଅନୁଯାୟୀ ଯାହା ଏହି ଅଞ୍ଚଳରେ ବହୁମୁଖୀ କାର୍ଯ୍ୟ କରୁଥିବା ଶ୍ରମଶକ୍ତି ସୃଷ୍ଟି କରି ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମନିର୍ଭରଶୀଳ” କରିବ ଏବଂ ସେମାନଙ୍କ ନିଯୁକ୍ତି/ ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

Share Now:

Kalinga News Beuro

Next Post

ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ: କାଲି ମହାପ୍ରଭୁଙ୍କୁ କରିବେ ଦର୍ଶନ

Wed Aug 16 , 2023
ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେ ଶ୍ୱ ରରେ ରାତି ୮ଟାରେ ପହଞ୍ଚିଛନ୍ତି। ଶ୍ରୀମତୀ ସୀତାରମଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ବିଜେପିର ବରିଷ୍ଠ ନେତା ସ୍ୱାଗତ ଜଣାଇଛନ୍ତି। ଏହା ପରେ ସେ ବିମାନବନ୍ଦରରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ପ୍ରବୀଣା ନାରୀ ନେତ୍ରୀ, କଟକ ମହାନଗର […]
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial