ବହୁରୂପୀ ଲେଡି ବ୍ଲାକମେଲର ଘଟଣା: ମୁହଁ ଖୋଲୁନି ଇରାନୀ ସ୍ୱାମୀ

ବହୁରୂପୀ ଲେଡି ବ୍ଲାକମେଲର ଘଟଣା

ଭୁବନେଶ୍ୱର: ବହୁରୂପୀ ଲେଡି ବ୍ଲାକମେଲର ମାମଲାରେ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଇରାନୀଙ୍କ ସ୍ୱାମୀ ନିଶିକାନ୍ତ ପତ୍ର ଓରଫ ବାପିକୁ ତମାଣ୍ଡୋ ଥାନା ପୁଲିସ ମାରାଥନ ଜେରା କରିଛି। ସେ ଓ ତାଙ୍କ ପତ୍ନୀ ଇରାନୀ କେତେଜଣଙ୍କୁ ଫସାଇଛନ୍ତି, କେତେ ଲୋକଙ୍କ ଠାରୁ କେତେ ଟଙ୍କା ଲୁଟିଛନ୍ତି, ସେମାନଙ୍କୁ କିଏ ସୁରକ୍ଷା ଦେଉଥିଲା- ଏ ସମସ୍ତ ଦିଗକୁ ନେଇ ଜେରା ହୋଇଛି। ଆଶା କରାଯାଉଥିଲା ଯେ ବାପି ସତ ଓଗାଳିବ। କିନ୍ତୁ ସେଭଳି କିଛି ହେଲାନି। ସେମାନେ କେବଳ ୩ଜଣଙ୍କୁ ବ୍ଲାକମେଲ କରିଥିବା ସେ ସ୍ୱୀକାର କରିଥିଲା। ଜଣଙ୍କ ପରେ ଜଣେ ଅଧିକାରୀ ଦିନ ତମାମ ଯେତେ ପଚରା ଉଚରା କରିଥିଲେ ବି ବାପି ଆଉ ମୁହଁ ଖୋଲି ନଥିଲା। ତା’ଠାରୁ କଥା ଆଦାୟ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ତା’ କଥାର ଯାଞ୍ଚ ପାଇଁ ପୁଲିସ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଉଭୟଙ୍କ ବୟାନକୁ ନେଇ ତୁଳନା ଓ ତର୍ଜମା କରାଯିବ।
ଦରକାର ପଡ଼ିଲେ ବ୍ଲାକମେଲର ଶିକାର ହୋଇଥିବା ଲୋକଙ୍କ ସହିତ ସେମାନଙ୍କୁ ମୁହାଁମୁହିଁ କରାଯିବ। ଖାଲି ଏତିକି ନୁହେଁ, ପୁଲିସ ସେମାନଙ୍କ ସିଡିଆର ରିପୋର୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ଯାଞ୍ଚ କରୁଛି। ସମସ୍ତ ଯାଞ୍ଚ ରିପୋର୍ଟ ଆସିବା ପରେ ସିଣ୍ଡିକେଟ୍‌ର ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉ କି, ଗତ ୯ ତାରିଖରେ ଇରାନୀ ଦେହ ଅସୁସ୍ଥଥିବା କହି ଜଣେ ଡ଼ାକ୍ତରଙ୍କୁ ଘରକୁ ଡ଼ାକିବା ପରେ ତାଙ୍କୁ ବ୍ଲାକମେଲ କରି ଓ ମାଡ଼ମାରି ୧ଲକ୍ଷ ଟଙ୍କା ଓ ୯ଲକ୍ଷର ଚେକ୍‌ ନେବା ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଇରାନୀ, ତା’ ସ୍ୱାମୀ ଓ ସହଯୋଗୀକୁ ଗିରଫ କରିଥିଲା। ସେମାନେ ଏହି ଉପାୟରେ ଆହୁରି ଅନେକ ଲୋକଙ୍କୁ ଲୁଟିଥିବା ସନ୍ଦେହ କରା ଯାଉଛି।

Share Now:

Kalinga News Beuro

Next Post

ବିଜେଡିର ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ

Wed Sep 20 , 2023
ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି। ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ […]
ବିଜେଡିର ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial