ଟ୍ୟାକ୍ସି ଡ୍ରାଇଭର୍‌ ଆକାଉଣ୍ଟ୍‌ରେ ୯୦୦୦ ‌କୋଟି ଟଙ୍କା ଜମା କାରଣରୁ ଇସ୍ତଫା ଦେଲେ ବ୍ୟାଙ୍କ୍‌ ‘ସିଇଓ’

ଇସ୍ତଫା ଦେଲେ ବ୍ୟାଙ୍କ୍‌ ‘ସିଇଓ’

ତୂତୁକୁଡ଼ୀ: ଭୁଲ୍‌କ୍ରମେ ଚେନ୍ନାଇର ଜଣେ ‘କ୍ୟାବ୍‌’ ଡ୍ରାଇଭର୍‌ଙ୍କ ଆକାଉଣ୍ଟ୍‌ରେ ୯,୦୦୦ କୋଟି ଟଙ୍କା ଜମା ହୋଇଯିବା ଘଟଣାର କିଛି ଦିନ ପରେ ‘ତାମିଲ୍‌ନାଡ୍‌ ମର୍କାଣ୍ଟାଇଲ୍‌ ବ୍ୟାଙ୍କ୍‌’ର (ଟିଏମ୍‌ବି) ପରିଚାଳନା ନିର୍ଦ୍ଦେଶକ ତଥା ‘ସିଇଓ’ ଏସ୍‌. କ୍ରିଷ୍ଣନ୍‌ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। କିନ୍ତୁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କ୍ରିଷ୍ଣନ୍‌ ତାଙ୍କ ଇସ୍ତଫା-ପତ୍ରରେ ଉଲ୍ଲେଖ କରିଛନ୍ତି। କ୍ରିଷ୍ଣନ୍‌ଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି, ମୋର କାର୍ଯ୍ୟକାଳର ଆଉ ତୃତୀୟାଂଶ ଥିଲେ ବି ବ୍ୟକ୍ତିଗତ କାରଣରୁ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଓ ‘ସିଇଓ’ ପଦବୀରୁ ଇସ୍ତଫା ଦେବାକୁ ସ୍ଥିର କରିଛି। ସେପ୍ଟେମ୍ବର ୨୦୨୨ରେ ସେ ବ୍ୟାଙ୍କ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତୂତୁକୁଡ଼ୀସ୍ଥିତ ‘ତାମିଲ୍‌ନାଡ୍‌ ମର୍କାଣ୍ଟାଇଲ୍‌ ବ୍ୟାଙ୍କ୍‌’ର ନିର୍ଦେଶକ ମଣ୍ଡଳୀ ଗୁରୁବାର ଦିନ ବୈଠକରେ ସମ୍ମିଳିତ ହୋଇ କ୍ରୀଷ୍ଣନ୍‌ଙ୍କ ଇସ୍ତଫା ପତ୍ର ଗ୍ରହଣ କରି ତହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ପଠାଇ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କହିଛି, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରୁ ମାର୍ଗଦର୍ଶିକା ଆସିବା ପର୍ଯ୍ୟନ୍ତ ଏସ୍‌. କ୍ରିଷ୍ଣନ୍‌ ‘ଏମ୍‌ଡି’ ତଥା ‘ସିଇଓ’ ରହିବେ।
ଉଲ୍ଲେଖଯୋଗ୍ୟ, ‘ତାମିଲନାଡୁ ମରଚାଣ୍ଟାଇଲ ବ୍ୟାଙ୍କ’ର ଆକାଉଣ୍ଟଧାରୀ ରାଜକୁମାର ନାମରେ ଜଣେ ‘କ୍ୟାବ୍‌’ ଡ୍ରାଇଭର୍‌ଙ୍କ ଆକାଉଣ୍ଟ୍‌କୁ ଭୁଲ୍‌କ୍ରମେ ୯,୦୦୦ କୋଟି ଟଙ୍କା ଚାଲି ଆସିଥିଲା। ପ୍ରଥମେ ଏହାକୁ ଦୁର୍ନୀତି ହୋଇଥିବ ଭାବି ଯାଞ୍ଚ କରିବା ପାଇଁ ରାଜକୁମାର ସେଥିରୁ ତାଙ୍କ ସାଙ୍ଗ ନିକଟକୁ ୨୧,୦୦୦ ଟଙ୍କା ପଠାଇ ଦେଲେ। ସାଙ୍ଗ ନିକଟକୁ ଟଙ୍କା ସୁରୁଖୁରରେ ଚାଲିଗଲା। ଏହାର ଅଧଘଣ୍ଟାଏ ପରେ ବ୍ୟାଙ୍କ୍‌ ବାକିତକ ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ ଉଠାଇ ନେଇଥିଲା। କିନ୍ତୁ, ବ୍ୟାଙ୍କ୍‌ରେ କେତେକ ଅନିୟମିତତା ହୋଇଥିବା କଥା ଚଳିତ ବର୍ଷ ଜୁନ୍‌ ମାସରେ ଆୟକର ବିଭାଗ କରିଥିବା ଯାଞ୍ଚ ପ୍ରକ୍ରିୟା ବେଳେ ଜଣାପଡ଼ିଥିଲା।

Share Now:

Kalinga News Beuro

Next Post

ମାର୍କେଟ୍‌ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ

Fri Sep 29 , 2023
ଭୁବନେଶ୍ୱର: ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍‌ ବିଲ୍ଡିଂ ୧୭ ଦିନ ତାଲା ପଡ଼ିଥିଲା। ଏବେ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟ(ୟୁନିଟ୍‌-୧ ହାଟ)ରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। ହାଟ ପାର୍ଶ୍ଵ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି। ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି। […]
ମାର୍କେଟ୍‌ ବିଲ୍ଡିଂ ପରେ ଏକ ନମ୍ୱର ହାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial