୩୦୦ ହେକ୍ଟର ଜମିରେ ମାଡ଼ିଗଲେଣି ପୋକ: କାମ କରୁନି କୀଟନାଶକ, ୫ ବ୍ଲକ୍‌ରେ ସ୍ଥିତି ଚିନ୍ତାଜନକ

୩୦୦ ହେକ୍ଟର ଜମିରେ ମାଡ଼ିଗଲେଣି ପୋକ

ବାଲେଶ୍ବର: ଧାନଗଛରୁ ଥୋଡ଼ ବାହାରିବା ସମୟରେ ଦାଉ ସାଧିଲା ଲଗାଣ ବର୍ଷା। ସେପଟେ ଜଳେଶ୍ବର, ଭୋଗରାଇ, ବାଲିଆପାଳ ପ୍ରଭୃତି ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ବିଲବାଡ଼ିରେ ୬/୭ ଦିନ ଧରି ଅଣ୍ଟେ ଲେଖା ପାଣି ଜମି ରହିଲା। ପାଣିପାଗରେ ଅନିୟମିତତା, ଜଳବାୟୁରେ ଆଦ୍ରତା ବୃଦ୍ଧି, ଲଘୁଚାପ ବର୍ଷା ଆଦି କାରଣରୁ ଧାନଫସଲରେ ଏବେ ରୋଗପୋକ ଚରି ଯାଇଛନ୍ତି। ଚକଡ଼ା, ନଳୀ, କାଣ୍ଡବିନ୍ଧା, ଜାଉଆ, ନୀଳ ଓ ମାଟିଆ ଗୁଣ୍ଡି ପୋକ ଲାଗିଥିବା ବେଳେ ‌ଯେତେ କୀଟନାଶକ ସିଞ୍ଚନ କଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ବରଂ ପଙ୍ଗପାଳ ଭଳି ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ମାଡ଼ି ଚାଲିଛନ୍ତି ଅନିଷ୍ଟକାରୀ କୀଟ। ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ, ବାଲିଆପାଳ, ବସ୍ତା, ରେମୁଣା ଆଦି ବ୍ଲକ୍‌ର ୩୦୦ ହେକ୍ଟର ଜମିରେ ପୋକ ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଜିଲ୍ଲା କୃଷି ବିଭାଗର ସୂଚନା ମୁତାବକ ଜିଲ୍ଲାରେ ୨୫୦ ହେକ୍ଟରରୁ ଅଧିକ ଜମିରେ ପୋକ ଲାଗିଛି। କିନ୍ତୁ ଏହାଠାରୁ ଢେର ଅଧିକ ଜମିରେ ପୋକ ଲାଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳେଶ୍ବର, ବାଲିଆପାଳ, ରେମୁଣା ଭୋଗରାଇ, ବସ୍ତା ବ୍ଲକ୍‌ର ବହୁ ପଞ୍ଚାୟତରେ ପୋକ ଉପଦ୍ରବ ଯୋଗୁଁ ଫସଲ ଏକପ୍ରକାର ଉଜୁଡ଼ିଯିବାକୁ ବସିଛି। ବାଲିଆପାଳ ବ୍ଲକ୍‌ର ବଳରାମପୁର, ଦେଉଳା, ବାଲିକୁଟି, ଦେଭୋଗ, ଶ୍ରୀରାମପୁର, ନିଖିରା, ପ୍ରତାପପୁର, ଡଗରା, ବାଡାଶ, ପଞ୍ଚୁପାଲି, ନୂଆଗାଁ, ଜଗତିପୁର ବିଷ୍ଣୁପୁର, ବାଲିଆପାଳ, ଅସ୍ତି, ମଧୁପୁରା, କୁମ୍ଭାରୀ ଆଦି ପଞ୍ଚାୟତରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଚାଷୀ ଚଢାଦାମରେ କୀଟନାଶକ ଔଷଧ କିଣି ସିଞ୍ଚନ ବାବଦରେ ଏକର ପିଛା ୨୪ ଶହରୁ ୨୭ ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛି। ଦୁଇ ଥର ସ୍ପ୍ରେ ପରେ ବି କିଛି ଫରକ୍‌ ପଡୁନାହିଁ। ପୋକ ଲାଗି ଧାନପତ୍ର‌ ଧଳା ହୋଇଯିବା ସହିତ ଧାନର ଥୋଡ଼ ଶୁଖିଯାଉଛି। ଏଥର ଧାନ ଦୂର କଥା, ଘରକୁ କୁଟା ମୁଠେ ଯିବ କି ନାହିଁ ସନ୍ଦେହ ବୋଲି କହିଛନ୍ତି ବାଲିଆପାଳ ଅଞ୍ଚଳର ଚାଷୀ ମୁରଲୀ ମୋହନ ସାହୁ ଓ ଅନନ୍ତ ରଣା। ସେପଟେ କୃଷି ବିଭାଗ ରୋଗପୋକର ପ୍ରତିକାର ଲାଗି ଏଯାଏ କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଥାଉକି, ଗତ କିଛି ବର୍ଷ ହେଲା ମୌସୁମୀ ବିଳମ୍ବରେ ଆସୁଛି। ଚାଷ ପାଇଁ ଯେତିକି ପରିମାଣରେ ବର୍ଷା ହେବା କଥା ହେଉନାହିଁ। କେତେବେଳେ ବର୍ଷା ପାଇଁ ଚାଷ ବିଳମ୍ବିତ ହେଉଛି ତ କେତେବେଳେ ମାତ୍ରାଧିକ ବର୍ଷାରେ ବନ୍ୟା ସୃଷ୍ଟି ହୋଇ ଫସଲ ଉଜୁଡି ଯାଉଛି। ଆଉ କେତେବେଳେ ରୋଗପୋକ ଲାଗି ଚାଷ କ୍ଷେତ ନଷ୍ଟ ହେଉଛି। ଯାହାଫଳରେ ଗ୍ରାମାଞ୍ଚଳରେ ଚାଷ ପ୍ରତି ଦିନକୁ ଦିନ ଆଗ୍ରହ କମିବାରେ ଲାଗିଛି। ଏ ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରୁ କିଛି ବ୍ଲକ୍‌ରେ ପୋକ ଲାଗିଥିବା ସେ କହିଥିଲେ। କୃଷି ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ବିଭିନ୍ନ ପଞ୍ଚାୟତ ପରିଦର୍ଶନରେ ଯିବାକୁ କୁହାଯାଇଛି। ଚାଷୀଙ୍କୁ ଆବଶ୍ୟକସ୍ଥଳେ ପରାମର୍ଶ ସହିତ ବିଭାଗ ପକ୍ଷରୁ ୫୦ ପ୍ରତିଶତ ରିହାତି‌ରେ ଔଷଧ ଦିଆଯାଉଛି। ଚାଷୀମାନେ ଚାହିଁଲେ ବାହାରୁ ମଧ୍ୟ ଔଷଧ କିଣିପାରିବେ ଓ ପରେ ରିହାତି ସୁବିଧା ପାଇବେ। ଆଉ କିଛିଦିନ ପରେ ସ୍ଥିତି ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶା ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା : ବର୍ଷାଙ୍କୁ ନୋଟିସ୍ କଲେ କୋର୍ଟ

Tue Oct 17 , 2023
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି […]
ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial