ଏକାମ୍ର କ୍ଷେତ୍ରରେ ଯାତ୍ରୀ ହନ୍ତସନ୍ତ : ରାସ୍ତାକଡ଼ ପାଲଟିଛି ବିଶ୍ରାମାଗାର, ଶୌଚାଳୟ

ପୁରୁଣା ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଚାଲିଛି। ସାଙ୍ଗକୁ ଯୋଡ଼ିହୋଇଛି ଏକାମ୍ର ଉତ୍ସବ। ତେଣୁ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ମାତ୍ର ଶୌଚାଳୟ ଓ ବିଶ୍ରାମାଗାର ଅଭାବରୁ ପର୍ଯ୍ୟଟକ ତଥା ଯାତ୍ରୀମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ଦୂରଦୁରାନ୍ତର ଯାତ୍ରୀମାନେ ରାସ୍ତା କଡ଼ରେ ଶୋଉଛନ୍ତି ଏବଂ ସୁବିଧା ଦେଖି ସ୍ନାନ‌ଶୌଚ ବି କରୁଛନ୍ତି। ଶୀତ ରାତିରେ ବଡ଼ କଲବଲ ଅବସ୍ଥାରେ ଯାତ୍ରୀମାନେ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ରାସ୍ତାକଡ଼ରେ ସ୍ନାନଶୌଚ କରୁଥିବାରୁ ପରିବେଶ ଦୁର୍ଗନ୍ଧମୟ ହୋଇଉଠିଛି। ଶୌଚାଳୟ ସମସ୍ୟା ପର୍ଯ୍ୟଟକଙ୍କୁ ବେଶି ଅସୁବିଧାରେ ପକାଉଛି।
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପର୍ଯ୍ୟଟକମାନେ ଯାତ୍ରୀ ବିଶ୍ରାମାଗାର କିମ୍ବା ଧର୍ମଶାଳାରେ ରାତି କଟାଇଥାଆନ୍ତି। କିନ୍ତୁ ଏବେ ଏହି ସୁବିଧା ଏଠାରେ ନାହିଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ସ୍ଥାନୀୟ ମାର୍କେଟ୍‌ କମ୍ପ୍ଲେକ୍ସରେ ଯାତ୍ରୀ ବିଶ୍ରାମାଗାର ୬ ବର୍ଷ ହେଲା ଅଧାପନ୍ତରିଆ ପଡ଼ିରହିଛି। ପ୍ରତିଦିନ ରାତିରେ ୨୦ରୁ ଉର୍ଦ୍ଧ୍ଵ ବସ୍‌ ଯାତ୍ରୀଙ୍କୁ ଧରି ରାତିରେ ଆସି ରହୁଛି। ମାର୍କେଟ୍‌ କମ୍ପ୍ଲେକ୍ସସ୍ଥିତ ଯାତ୍ରୀ ବିଶ୍ରାମାଗାରରେ ମାତ୍ର କେତୋଟି ଘର ରହିଛି। ଏଠାରେ ରାତିରେ ରହିବାକୁ ସୁବିଧା ନପାଇ ଯାତ୍ରୀମାନେ ବାଧ୍ୟ ହୋଇ ମାର୍କେଯ୍‌ ବାରଣ୍ଡା ଓ ରାସ୍ତା କଡ଼ରେ ଶୋଉଛନ୍ତି। ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ହେଉ ହେଉ ଯାତ୍ରୀମାନେ ଦୋକାନ ବାରଣ୍ଡାରେ ଶୋଇପଡ଼ୁଛନ୍ତି। ପିଲାଛୁଆଙ୍କୁ ଧରି ଜାକିଜୁକି ହୋଇ ମହିଳାମାନେ ଶୋଇପଡ଼ୁଥିବା ବେଳେ ପୁରୁଷମାନେ ଜଗି ବସୁଛନ୍ତି। ସେହିଭଳି ଦୁଦୁୱାଲା ଧର୍ମଶାଳା ବିକ୍ରି ହୋଇଯାଇଛି। ତେଣୁ ସେଠାରେ ମଧ୍ୟ ପର୍ଯ୍ୟଟକମାନେ ରହିବା ସୁବିଧା ପାଉନାହାନ୍ତି। କିନ୍ତୁ ଶୌଚାଳୟ ସମସ୍ୟାରେ ବେଶି ହନ୍ତସନ୍ତ ହେଉଛନ୍ତି ପର୍ଯ୍ୟଟକମାନେ। ରାସ୍ତାକଡ଼ରେ ସେମାନେ ଶୌଚ ହେଉଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସ୍ଥାନୀୟ ଅଧିବାସୀମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ଶୌଚାଳୟ ଥିଲା। ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବା ବେଳେ ବିଏମ୍‌ସି ଏହାକୁ ଭାଙ୍ଗିଦେଲା। କାମଚଳା ଅସ୍ଥାୟୀ ଶୌଚାଳୟ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏହା ଭିତରେ ୪ ବର୍ଷ ବିତିଗଲାଣି, ହେଇପାରିଲାନି। ଲିଙ୍ଗରାଜ ମାର୍କେଟ ନିକଟରେ ଦୁଇଟି ଶୌଚାଳୟ ରହିଛି। କିନ୍ତୁ ଏହି ଦୁଇ ଶୌଚାଳୟରେ ବହୁ ସମୟରେ ତାଲା ଝୁଲୁଛି। ସେହିପରି ଦେବୀପାଦହରା ପୁଷ୍କରିଣୀ ନିକଟରେ ଥିବା ଶୌଚାଳୟ ଦୀର୍ଘ ୧୦ଦିନ ହେଲା ବନ୍ଦ ରହିଛି। କୌଣସି କାରଣ ନଥାଇ ଏହାକୁ ବନ୍ଦ କରାଯାଇଛି। କେଦାରଗୌରୀ, ମୁକ୍ତେଶ୍ୱର, ପର୍ଶୁରାମେଶ୍ୱର ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ସମସ୍ୟାରେ ଜର୍ଜରିତ। ସେଠାରେ ଥିବା ଶୌଚାଳୟ ୪ବର୍ଷ ହେବ ଭଙ୍ଗା ଯାଇଥିଲେ ମଧ୍ୟ ପୁନଃନିର୍ମାଣ ହୋଇପାରିଲା ନାହିଁ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏକାମ୍ର ପ୍ରକଳ୍ପ ନ ସରିବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗିରହିବ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ସଫେଇ ଦେଇଛନ୍ତି।

Share Now:

Kalinga News Beuro

Next Post

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଥାନାରେ ଅଟକ

Sun Feb 11 , 2024
ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ। ଯୁବକଜଣକ ନାବାଳିକାଙ୍କୁ ଲୋଭ ଦେଖାଇ ଘରଠୁ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial