ଗାନ୍ଧି ପରିବାର ବିରୋଧରେ ପ୍ରଭାବଶାଳୀ ଗୋଷ୍ଠୀ

ଗାନ୍ଧି ପରିବାର ବିରୋଧରେ ପ୍ରଭାବଶାଳୀ ଗୋଷ୍ଠୀ

କଂଗ୍ରେସରେ କମ୍ପନ,ସିଡବ୍ଲ୍ୟୁସି ପୂର୍ବରୁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ : ଦିନକୁ ଦିନ ଲୋକପ୍ରିୟତା ହରାଉଥିବା କଂଗ୍ରେସ ଦଳ‌ରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦଳର ୨୩ ଜଣ ବରିଷ୍ଠ ନେତା ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିବା ପରେ ଦଳ ଭିତରେ କଂପନ ସୃଷ୍ଟି ହୋଇଛି। ଏହି ପତ୍ରକୁ ଗାନ୍ଧି ପରିବାରର ନେତୃତ୍ବ ପ୍ରତି ଚାଲେଞ୍ଜ କୁହାଯାଉଥିବା ବେଳେ ଏଥିରେ ଭୀଷଣ ବିରକ୍ତି ପ୍ରକାଶ କରି ତାଙ୍କ ପଦରୁ ଇସ୍ତଫା ଦେବାଲାଗି ସୋନିଆ ଗାନ୍ଧି ଧମକ ଦେଇଥିବା କୁହାଯାଉଛି। ତେବେ ଦେଶ ଏବଂ ଦଳ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ନେତୃତ୍ବ ପରିବର୍ତନ ପାଇଁ ଏବେ ଉପଯୁକ୍ତ ସମୟ ନୁହେଁ ବୋଲି ଅନେକ ନେତା ମତ ପ୍ରକାଶ କରିଛନ୍ତି। ସେମାନେ ସୋନିଆ ଏବଂ ରାହୁଲଙ୍କୁ ସମର୍ଥନ ଜଣାଇଛନ୍ତି। ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ହେବାକୁ ଯାଉଥିବାରୁ ଦଳ ଭିତରେ ଦୁଇ ପ୍ରକାର ମତ ଜାତୀୟ ରାଜନୀତିକୁ ସରଗରମ କରିଛି। ୨୩ ଜଣଙ୍କ ପତ୍ର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ‌ସୋନିଆ କିଛି ନେତାଙ୍କୁ ଡାକି ସଭାପତି ପଦରୁ ଓହରିଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ଏକାଠି ହୋଇ ନୂଆ ମୁଖ୍ୟ ଚୟନ କରନ୍ତୁ। ସେ ଏହି ଦାୟିତ୍ବରେ ଅଧିକ ଦିନ ରହିବାକୁ ଆଗ୍ରହୀ ନୁହନ୍ତି। ଗତ ଲୋକସଭା ନିର୍ବ‌ାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବାପରେ ସୋନିଆଙ୍କୁ ବର୍ଷକ ପାଇଁ ଅନ୍ତରୀଣ ସଭାପତି ଚୟନ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂଆ ସଭାପତି ଚୟନ କରାଯାଉ ବୋଲି ସୋନିଆ କହିଥିବା ବିଷୟ ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି। ତେବେ ସୋନିଆ ଏବଂ ରାହୁଲଙ୍କୁ ସମର୍ଥନ କରି ଆଗେଇ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଛତିଶଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ନେତୃତ୍ବ ପରିବର୍ତନ ପାଇଁ ବରିଷ୍ଠ ନେତାଙ୍କ ପତ୍ରକୁ ନାପସନ୍ଦ କରି ଅମରିନ୍ଦର କହିଛନ୍ତି ଯେ ଏବେ ଦେଶରେ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବା ଲାଗି ଏନଡିଏ ସରକାର ଉଦ୍ୟମ କରୁଥିବା ବେଳେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି। ସୋନିଆ ଗାନ୍ଧୀ ହିଁ ଦଳର ଠିକ୍ ନେତୃତ୍ବ ନେଇପାରିବେ। ସେହିଭଳି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ସୋନିଆ ହିଁ କଂଗ୍ରେସ ନେତୃତ୍ବ ପାଇଁ ଯୋଗ୍ୟ। ତେବେ ଯଦି ସେ ପଦତ୍ୟାଗ କରିବାକୁ ସ୍ଥିର କରି ସାରିଛନ୍ତି ତାହାହେଲେ ରାହୁଲ ଗାନ୍ଧିଙ୍କୁ ତୁରନ୍ତ ସଭାପତି କରାଯାଉ। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଂଜନ ଚୌଧୁରୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ କୁମାର ମଧ୍ୟ ଗାନ୍ଧୀ ପରିବାରକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ମିଳିତ ନେତୃତ୍ବ ଚିନ୍ତାଧାରାକୁ ସେମାନେ ବିରୋଧ କରିଛନ୍ତି। ଏହି ପତ୍ରକୁ ରାହୁଲଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସଂଜୟ ନିରୁପମ।
ସୂଚନାଯୋଗ୍ୟ ‌ଯେ ଚଳିତ ମାସ ଆରମ୍ଭରେ କଂଗ୍ରେସର ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କୁ ପତ୍ର ଲେଖି ସାଂଗଠନିକ ପରିବର୍ତନ ଲାଗି ଦାବି ଜଣାଇଥିଲେ। ଏହି ପତ୍ର ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ପତ୍ରରେ ସ୍ବାକ୍ଷର କରିଥିବା ୨୩ ନେତାଙ୍କ ମଧ୍ୟରେ ଅଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନେକ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ, ବର୍ତ୍ତମାନର ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଛଅବର୍ଷ ତଳେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଧାରାବାହିକ ଅବନତି ହିଁ ସେମାନଙ୍କୁ ଏପରି ପରିବର୍ତ୍ତନ କଥା ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପତ୍ରରେ କୁହାଯାଇଛି।। ବିଜେପିର ଉତ୍ଥାନକୁ ସେମାନେ ସ୍ବୀକାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁବପିଢ଼ି ଦୃଢ଼ନିଶ୍ଚିତ ଭାବେ ସମର୍ଥନ କରୁଥିବା କଂଗ୍ରେସର ଏହି ବରିଷ୍ଠ ନେତାମାନେ ହୃଦୟଙ୍ଗମ କରି କଂଗ୍ରେସ ପ୍ରତି ସମର୍ଥନରେ ଅବକ୍ଷୟ ଏବଂ ଯୁବଗୋଷ୍ଠୀଙ୍କ ପାଖରେ ଦଳ ଭରସା ହରାଇବା ହିଁ ଚିନ୍ତାର କାରଣ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ପାର୍ଟି ପରାଜୟର ଆତ୍ମସମୀକ୍ଷା ଜରୁରି ଥିବା ବେଳେ ୧୪ ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସେମାନେ ଉଦବେଗ ପ୍ରକାଶ କରିଛନ୍ତି। ସିଡବ୍ଲ୍ୟୁସି ପାଇଁ ନିର୍ବାଚନ କରାଯାଉ ବୋଲି ଦାବି ଜଣାଇ ସେମାନେ କହିଛନ୍ତି ଯେ ଦଳର ସାମଗ୍ରିକ ପୁନରୁଦ୍ଧାର ପାଇଁ ଦିଗଦର୍ଶନ ଦେଇପାରୁଥିବା ନେତୃତ୍ବର ଆବଶ୍ୟକ ରହିଛି। ନିର୍ବାଚନ ପରିଚାଳନାଠୁ ଆରମ୍ଭ କରି କାର୍ଯ୍ୟକାରିଣୀ ପରିଷଦ ଯାଏ ସକ୍ରିୟ ତଥା ଦୃଶ୍ୟମାନ ଦୀର୍ଘସ୍ଥାୟୀ ନେତୃତ୍ବ ଚୟନ ଲାଗି ପରାମର୍ଶ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ତଳେ ସେମାନେ ପଠାଇଥିବା ଏହି ଚିଠିରେ ଦଳର ସମ୍ପୂର୍ଣ୍ଣ ପରିବର୍ତ୍ତନ କଥା ଦର୍ଶାଯାଇଥିବାରୁ ବର୍ତ୍ତମାନର ନେତୃତ୍ବ ବିରୋଧରେ ଏହା ମର୍ମଭେଦୀ ଅଭିଯୋଗ ସଦୃଶ ହୋଇଛି। ଏହି ଚିଠିରେ ଗାନ୍ଧି ପରବାରକୁ ସମାଲୋଚନା କରାଯାଇ ନଥିବା ବେ‌ଳେ ବାସ୍ତବରେ ଚିଠିରେ ଗାନ୍ଧି ପରିବାରକୁ ଟାର୍ଗେଟ କରାଯାଇଥିବା କୁହାଯାଉଛି।
ଏହି ଚିଠିରେ ସ୍ବାକ୍ଷର କରିଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଶ ତିଵାରୀ, ଶଶି ଥରୁର, ସନ୍ଦୀପ ଦୀକ୍ଷିତ, ମୁକୁଲ ଵାସନିକ୍‌, ରାଜ ବବ୍ବର, ଭୂପିନ୍ଦର ସିଂହ ହୁଡ଼ା, ବୀରାପ୍ପା ମୋଇଲି, ପୃଥ୍ବୀରାଜ ଚୌହାନ, ପି ଜେ କୁରିଆନ୍‌, ରେଣୁକା ଚୌଧୁରୀ, ମିଲିନ୍ଦ ଦେଓରା ପ୍ରମୁଖ। ତେବେ ଏହି ନେତାମାନେ ପତ୍ର ଲେଖିଥିବା କଥା ସାଧାରଣରେ ସ୍ବୀକାର କରିବାକୁ ରାଜି ହେଉ ନାହାନ୍ତି।

Share Now:

Kalinga News Beuro

Next Post

କଟକଣା ମୁକ୍ତ ହେଲା ବ୍ରହ୍ମପୁର ସହରର ସୀମା: ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲା ରହିବ ଦୋକାନ ବଜାର

Mon Aug 24 , 2020
ବ୍ରହ୍ମପୁର: ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଯାଇଛି। ଏଥିଲାଗି ଆଜି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ସମସ୍ତ ଦୋକାନୀ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ପଡ଼ିବ ବୋଲି ନିର୍ଦେଶ ଦିଆଯାଇଛି। ଆଜି ସକାଳୁ ବ୍ରହ୍ମପୁର ସହରର ଅନେକ ଦୋକାନ ବଜାର ଖୋଲିଥିବା ଜଣାଯାଇଛି। ତେବେ […]
ଗଞ୍ଜାମ ଜିଲ୍ଲାପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial