ଟ୍ରମ୍ପ୍‌ଙ୍କ ଯୁଦ୍ଧ ଧମକ:ସିରିଆରେ କ୍ଷେପଣାସ୍ତ୍ର ଆକ୍ରମଣ କରିବ

ଡାମାସ୍‌କସ୍‌: ସିରିୟା ସଙ୍କଟକୁ ନେଇ ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ରୂପ ନେଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସିରିୟାକୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ବାୟୁ ସୁରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ୱାରା ଧ୍ୱଂସ କରିଦେବାକୁ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷିଆକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି। ସିରିୟାରେ ବସର୍‌ ଅଲ୍‌ ଅସଦ୍‌ ସରକାରକୁ ସମର୍ଥନ କରୁଥିବା ରୁଷିଆ ତା’ର ସାମରିକ କାର୍ଯ୍ୟକ୍ରମ ବନ୍ଦ ନକଲେ ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ଼ ହେବ ବୋଲି ଆଜି ଟ୍ରମ୍ପ୍‌ ଧମକାଇଛନ୍ତି। ଟ୍ଵିଟର୍‌ରେ ଟ୍ରମ୍ପ୍‌ଙ୍କ ଯୁଦ୍ଧ ଧମକକୁ ରୁଷ୍‌ ଗମ୍ଭୀରତାର ସହ ନେଇଛି । ସିରିୟାରେ ରାସାୟନିକ ଆକ୍ରମଣକୁ ନେଇ କ୍ଷୁବ୍ଧ ଆମେରିକା ତୁରନ୍ତ ପଛକୁ ହଟିବାକୁ ରୁଷିଆକୁ ଚେତାବନୀ ଦେଇଛି। ଟ୍ରମ୍ପ କହିଛନ୍ତି ଯେ, ରୁଷିଆ ଯଦି ସିରିୟାରୁ ନ ଓହରିବ ତେବେ ନିଶ୍ଚିତଭାବେ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ। ଆମେରିକାର କ୍ଷେପଣାସ୍ତ୍ର ଦୁର୍ବଳ ଓ ପୁରୁଣା ବୋଲି ରୁଷ୍‌ ଯାହା ଭାବୁଛି ତାହା ହେବନାହିଁ, ନୂତନ ଓ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଯୋଗେ ଅତିଶୀଘ୍ର ସିରିୟାରେ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସିରିୟା ସଙ୍କଟକୁ ଜଟିଳ କରୁଥିବା ରୁଷ୍‌ ଏବଂ ଇରାନ୍‌କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମିଳିଥିବା ଖବର ମୁତାବକ ଟ୍ରମ୍ପ ଓ ତାଙ୍କ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ ସେମାନଙ୍କର ସମସ୍ତ ବିଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି ଏବଂ ସିରିୟା ଅପରେସନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସିରିୟାରେ କ୍ଷେପଣାସ୍ତ୍ର ଓ ରକେଟ୍‌ ମାଡ଼ କରାଯିବା ପୂର୍ବରୁ ୟୁରୋପୀୟ ବିମାନ ଉଡ଼ାଣ ସୁରକ୍ଷା ସଂସ୍ଥାକୁ ମଧ୍ୟ ସତର୍କ ରହିବାକୁ ଆମେରିକା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଆମେରିକା ଏହି ଆକ୍ରମଣ କରିବାକୁ ଯାଉଥିବାରୁ ବିମାନଗୁଡ଼ିକର ଗତିପଥରେ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି।

ସିରିୟାରେ ରାସାୟନିକ ଆକ୍ରମଣ ଘଟଣାରେ ଆମେରିକା ଓ ରୁଷିଆ ପରସ୍ପର ବିରୋଧରେ ଅଭିଯୋଗ ଆଣୁଥିବା ବେଳେ ଏହି ଘଟଣାର ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ହେବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଜୋର୍‌ଦାର ଦାବି ହୋଇଛି। ଆମେରିକାକୁ ତାତ୍ସଲ୍ୟ କରି ରୁଷ୍‌ ବୈଦେଶିକ ବ୍ୟାପର ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ସିରିୟା ସୈନ୍ୟଙ୍କ ଉପରେ ନୁହେଁ ବରଂ ସେଠାରେ ଥିବା ବିଦେଶୀ ଆତଙ୍କବାଦୀଙ୍କ ଉପରେ ସ୍ମାର୍ଟ ରକେଟ ମାଡ଼ କରିବା ଆବଶ୍ୟକ। ରାସାୟନିକ ଆକ୍ରମଣ ଘଟଣାରେ ଆମେରିକା ସହ ବ୍ରିଟେନ୍‌ ଓ ଫ୍ରାନ୍ସ ମଧ୍ୟ ରୁଷିଆକୁ ଦାୟୀ କରିଛନ୍ତି। ସେପଟେ ଆମେରିକାକୁ ସମର୍ଥନ ଜଣାଉଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ, ଯଦିଓ ତାଙ୍କ ଦେଶ କୌଣସି ପ୍ରକାର ପ୍ରତିଶୋଧ ନେବ ନାହିଁ ତଥାପି ସିରିୟାକୁ ରାସାୟନିକ ଆକ୍ରମଣରୁ କିଭଳି ଭାବେ ରକ୍ଷା କରାଯିବ ସେନେଇ କଡ଼ା ପଦକ୍ଷେପ ନିଆଯିବ। ଏହି ଆକ୍ରମଣରେ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ସହ ସେମାନଙ୍କୁ ଉତ୍ତା ସୁବିଧା ଯୋଗାଇଦେବା ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ନିର୍ଦ୍ଦେଶ ଦେଇଛନ୍ତି। ସିରିୟାର ଡୁମା ସହରରେ ବାରମ୍ବାର ରାସାୟନିକ ଆକ୍ରମଣ ହେଉଥିବା ବେଳେ ୪ ଦିନ ତଳର ଆକ୍ରମଣ ପାଇଁ ରୁଷ୍‌ ଇସ୍ରାଏଲକୁ ଦାୟୀ କରିଛି ।

ହାତ ଟେକିଦେଲା ଜାତିିସଂଘ

ସିରିୟାର ଉଭୟ ଭିତରେ ଓ ବାହାରେ ରକ୍ତ ନଦୀ ବୋହୁଛି। ଦେଶ ଭିତରେ ଗୃହଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ସମର୍ଥନ ଜଣାଇ ବାହାର ଦେଶ ଦୁଇ ପକ୍ଷରେ ଭାଗ ହୋଇ ସିରିୟା ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି। ସିରିୟା ସଙ୍କଟରେ ଆଧିପତ୍ୟ ଜାହିରକୁ ନେଇ ଅନ୍ୟ ରାଷ୍ଟ୍ରଙ୍କ ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି ହେଉଛି। ସିରିୟାରେ ଗୃହଯୁଦ୍ଧକୁ ୮ବର୍ଷ ହୋଇଥିବା ବେଳେ ଦେଶରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଜାତିସଂଘରେ ଆଜି ସୁଦ୍ଧା କୌଣସି ପ୍ରସ୍ତାବ ଗୃହିତ ହୋଇନାହିଁ ବୋଲି ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍‌ କହିଛନ୍ତି। ସିରିୟାରେ ଶାନ୍ତିର କୌଣସି ପରିସ୍ଥିତି ଏଯାବତ୍‌ ସୃଷ୍ଟି ହୋଇପାରି ନାହିଁ ଏବଂ ଏଥିପାଇଁ ଆମେ ଅସହାୟ ଅନୁଭବ କରୁଛୁ ବୋଲି ସେ କହିଛନ୍ତି। ପୂର୍ବାଞ୍ଚଳ ଘୌଟା, ଡାମାସ୍‌କସ୍‌, ଆଫ୍ରିନ୍‌, ଇଦ୍‌ଲିବ ଆଦି ଅନେକ ସ୍ଥାନରେ ଲୋକେ ଏବେ ବି ଘରୁ ବାହାରିବାକୁ ଭୟ କରୁଥିବା ବେଳେ ଘର ଭିତରେ ଥିଲେ ବି ବୋମା ଓ ରାସାୟନିକ ଆକ୍ରମଣର ଭୟରେ ଜୀବନ ବିତାଉଛନ୍ତି। ସିରିୟାରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏଭଳି ବିବାଦ ଓ ତା’ ମଧ୍ୟରେ ବଳି ପଡ଼ୁଥିବା ସାଧାରଣ ଜନତାଙ୍କ ପାଇଁ ଜାତିସଂଘ ମହାସଚିବ ଦୁଃଖପ୍ରକାଶ କରିଛନ୍ତି। ଜାତିସଂଘର ତଥ୍ୟ ମୁତାବକ, ସିରିୟାର ଏହି ଗୃହଯୁଦ୍ଧ ଯୋଗୁଁ ୫୬ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଶରଣାର୍ଥୀ ପାଲଟି ଯାଇଥିବା ବେଳେ ୬୧ ଲକ୍ଷ ଲୋକ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ବିସ୍ଥାପିତ ହୋଇଯାଇଛନ୍ତି। ସିରିୟାର ୬୦ ଲକ୍ଷ ଶିଶୁଙ୍କ ସମେତ ୧କୋଟି ୩୦ଲକ୍ଷ ଲୋକ ଗୋଟିଏ ସାଧାରଣ, ସୁସ୍ଥ ଓ ନିରାପଦ ଜୀବନ ଆଶାରେ ଏବେ ବି ରହିଛନ୍ତି। ତେଣୁ ସିରିୟା ପାଉଁଶ ପାଲଟିଯିବାର ଯେଉଁ ସଙ୍କେତ ଦେଖାଦେଇଛି ତାହା ସତ ପ୍ରାମଣିତ ନହେଉ ବୋଲି ଗ୍ୟୁଟେରେସ୍‌ କହିଛନ୍ତି।

ଗୋଟିଏ ସପ୍ତାହରେ ଜାତିସଂଘର ୪ଟି ବୈଠକ ବସିଥିବା ସତ୍ତ୍ୱେ ସିରିୟାର ରସାୟନିକ ଆକ୍ରମଣ ଘଟଣାରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଦିନକୁ ଦିନ ସଙ୍କଟ ଜଟିଳ ହେବାରେ ଲାଗିଛି। ଏବେ ଆମେରିକାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ଜାତିସଂଘର ଭୂମିକା କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Share Now:

Kalinga News Beuro

Leave a Reply

Next Post

ସାରଙ୍କ ପାଇଁ ବଢ଼ିଲା ବିପଦ : ନିଲମ୍ବିତ ହେବେ ୩ ହଜାର ଅଧ୍ୟାପକ!

Thu Apr 12 , 2018
ବେସରକାରୀ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଚିଠି ହୋଇପାରେ ୩ ମାସ ଜେଲ୍‌ ଓ ୩ ହଜାର ଟଙ୍କା ଜରିମାନା ଭୁବନେଶ୍ୱର : ସରକାରଙ୍କ ସବୁ କୌଶଳ ଫେଲ୍‌ ମାରିଲା। ସ୍ୱାଭାବିକ୍‌ ହୋଇପାରିଲାନି ଯୁକ୍ତ୨ ମୂଲ୍ୟାୟନ। ଅଧ୍ୟାପକଙ୍କୁ ଧମକ ଦେବା ପ୍ରଭାବ ବି ପଡ଼ିଲାନି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ସମସ୍ୟାରେ ସୁଧାର ଆସିଲାନି। ପ୍ରଭାବିତ ହେଲା ଯୁକ୍ତ୨ ମୂଲ୍ୟାୟନ। ୮ ଦିନ ବିତିଯାଇଥିଲେ ମଧ୍ୟ ୨୦ ପ୍ରତିଶତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial