ଏମ୍‌କେସିଜିରେ ଅନ୍ଧାରୀ ଚିକିତ୍ସା: ମହମବତି ଲଗାଇ ରୋଗୀ ଦେଖିଲେ ଡାକ୍ତର

ଏମ୍‌କେସିଜିରେ ଅନ୍ଧାରୀ ଚିକିତ୍ସା

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍‌ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍‌ ୱାର୍ଡ଼ ଆଉଟ୍‌ଡୋର୍‌ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି। ମହମବତି ଓ ମୋବାଇଲ୍‌ ଲାଇଟ୍‌ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି। ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ ଜେନେରେଟର୍‌ ସଂଯୋଗ ହୋଇ ନଥିବାରୁ ଗତକାଲି କ୍ୟାନସର୍‌ ‌ୱାର୍ଡ଼ରେ ରୋଗୀଙ୍କୁ ଅନ୍ଧାରରେ ସେବା କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍‌ଟି ଠାରୁ ଆରମ୍ଭ କରି ମେଡିସିନ୍‌ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍‌ଡିସି କୋଠାକୁ ଜେନେରେଟର୍‌ ସଂଯୋଗ ଦିଆଯାଇଛି। ବିଦ୍ୟୁତ ବିଭ୍ରାଟ ହେଲେ ଜେନେରେଟର୍‌ ଦ୍ବାରା ବିଦ୍ୟୁତ ଯୋଗାଣ କରାଯାଉଛି। କିନ୍ତୁ କ୍ୟାନସର୍‌ ୱାର୍ଡ଼କୁ ଜେନେରେଟର୍‌ ସଂଯୋଗ କରାଯାଇ ନାହିଁ। ଫଳରେ ଗତକାଲି ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡ଼ିଥିଲା। ଗତକାଲି ମଧ୍ୟାହ୍ନରେ ଏମ୍‌କେସିଜି ମେଡିକାଲ ପରିସରର ଅଧିକାଂଶ ବିଭାଗକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। କାରଣ ମେଡିକାଲ ପରିସରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରରେ ଗଛ ଲାଗି ଯାଇଥିଲା। ଗଛ କାଟିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏଥିପାଇଁ କ୍ୟାନସର୍‌ ୱାର୍ଡ଼ ପୂରା ଅନ୍ଧାର ହୋଇ ଯାଇଥିଲା।
ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହନ୍ତି, ବିଦ୍ୟୁତ ତାରରେ ଲାଗିଥିବା ଗଛ କାଟିବା ପାଇଁ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। କ୍ୟାନସର୍‌ ୱାର୍ଡ଼କୁ ଜେନେରେଟର୍‌ ସଂଯୋଗ କରାଯାଇ ନାହିଁ। ନିକଟରେ ଥିବା ‌ରେଡ଼ିଓ ଡାଇଗ୍ନୋଷ୍ଟିକ୍‌ ବିଭାଗର ଜେନେରେଟର୍‌ରୁ ସଂଯୋଗ ଦେବା ପାଇଁ କୁହାଯାଇଛି। ଅନ୍ୟ ସମସ୍ତ ବିଭାଗକୁ ଜେନେରେଟର୍‌ ସଂଯୋଗ କରାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି।

Share Now:

Kalinga News Beuro

Next Post

ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର

Wed Sep 15 , 2021
କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଥିବା ବେଳେ ଆଠଗଡ଼ ବ୍ଲକରେ ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି […]
ଆଠଗଡ଼ରେ ବନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial