୨୩ ବର୍ଷ ପରେ ସାଧୁ ବେଶରେ ଥିବା ସୈତାନ ହତ୍ୟାକାରୀକୁ ଧରିଲା ମଥୁରା ପୁଲିସ

ସାଧୁ ବେଶରେ ୨୩ ବର୍ଷ ପରେ ମଥୁରାରୁ ହତ୍ୟାକାରୀକୁ ଧରିଲା ସୁରଟ ପୁଲିସ

ଭୁବନେଶ୍ୱର: ହତ୍ୟା ପରେ ନିଜ ପରିଚୟ ଲୁଚାଇବାକୁ ମଥୁରାରେ ସାଧୁ ବେଶରେ ରହୁଥିଲା ହତ୍ୟାକାରୀ। ଆଉ ଏହି ହତ୍ୟାକାରୀକୁ ଧରିବାକୁ ପୁଲିସ ମଧ୍ୟ ସାଧୁ ପାଲଟିଯାଇଥିଲେ ଆଉ ଶେଷରେ ନଜର ରଖିବା ପରେ ଧରିଛନ୍ତି। ଆପଣ ତ ଅନେକ ଥ୍ରୀଲର ଫିଲ୍ମ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୂଚନା ମୁତାବକ ଗୁଜୁରାଟର ସୁରଟ ପୁଲିସ ଏକ ହତ୍ୟା ମାମଲାରେ ୨୩ ବର୍ଷ ପରେ ଅପରାଧୀକୁ ଧରିବାରେ ସଫଳ ହୋଇଛି। ସୁରଟର ଉଧନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଜଣେ ନକଲି ସାଧୁ ପାଲଟିଯାଇଥିଲେ। ଆଉ ସୁରଟ ପୁଲିସ ଏବେ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଥିଲା। ପୁଲିସର ସୂଚନାନୁସାରେ ଗିରଫ ଅଭିଯୁକ୍ତ ହେଉଛି ଓଡିଶାର ଗଞ୍ଜାମ ଜିଲ୍ଲାର ପଦ୍ମ ଚରଣ ପଣ୍ଡା। ୨୩ ବର୍ଷ ପୂର୍ବେ, ସେ ସୁରଟ ଜିଲ୍ଲାର ଉଧନା ସହରର ଶାନ୍ତିନଗରରେ କିଛି ବନ୍ଧୁଙ୍କ ସହ ଭଡ଼ାରେ ରହୁଥିଲେ। ଏହି ସମୟରେ ସେ ତାଙ୍କର ଦୁଇ ସାଙ୍ଗଙ୍କ ସହ ମିଶି ବିଜୟ ସଚିଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ଏହା ପରେ ସେମାନେ ଫେରାର ଯାଇଥିଲେ। ଏହି ଘଟଣା ପରେ ଉଧନା ପୁଲିସ ଟିମ୍ ମଧ୍ୟ ପଦ୍ମଚରଣଙ୍କ ଓଡ଼ିଶାରେ ଥିବା ଘରେ ଚଢ଼ାଉ କରିଥିଲା, କିନ୍ତୁ ସଫଳତା ପାଇନଥିଲା। କିଛିଦିନ ତଳେ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ ପଦ୍ମଚରଣ ଉତ୍ତରପ୍ରଦେଶର ମଥୁରାରେ ଏକ ମଠରେ ଲୁଚିରହିଛି। ଏହା ପରେ ପୁଲିସର ଏକ ଟିମ୍ ମଥୁରା ଅଭିମୁଖେ ଯାତ୍ରା କଲା ଏବଂ ପଦ୍ମ ରହୁଥିବା ମଠରେ ତିନିଜଣ ପୁଲିସ କର୍ମୀ ସାଧୁ ବେଶରେ ରହି ନଜର ରଖିଥିଲେ। ଶେଷରେ ପଦ୍ମକୁ ଗିରଫ କରାଯାଇଥିଲା।
କିଭଳି ରଚିଥିଲା ଷଡଯନ୍ତ୍ର?
ପୁଲିସର ସୂଚନାନୁସାରେ, ପଦ୍ମଚରଣ ପଣ୍ଡାଙ୍କୁ ପଚରାଉଚରାବେଳେ ସେ କହିଥିଲା ଯେ ହତ୍ୟାକାଣ୍ଡ ପରେ ମଥୁରାକୁ ଯାଇ ସେଠାରେ ନିଜର ପରିଚୟ ପରିବର୍ତ୍ତନ କରିଥିଲେ। ପଦ୍ମଚରଣ ବଦଳରେ ସମସ୍ତଙ୍କୁ ନିଜ ନାମ ଗୌରାଙ୍ଗ ଚନ୍ଦ୍ର ବୋଲି କହିଥିଲେ। ଏହା ପରେ ସେ ଦାଢ଼ି ବଢ଼ାଇଥିଲେ ଓ କୁଞ୍ଜକୁଟି ଆଶ୍ରମରେ ରହିବାକୁ ଲାଗିଲେ। ପୁଲିସ ନଜରରୁ ବର୍ତ୍ତିବା ପାଇଁ ପଦ୍ମଚରଣ ପଣ୍ଡା ନିଜ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ରଖି ନଥିଲେ।
କାହିଁକି ହତ୍ୟା କରିଥିଲା?
ଅଭିଯୁକ୍ତ ପଦ୍ମକୁ ପଚରାଉଚରାବେଳେ ସେ ପୁଲିସକୁ କହିଛି ଯେ ଶାନ୍ତିନଗରରେ ରହିବା ସମୟରେ ପଡ଼ୋଶୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ସେ ମହିଳାଙ୍କ ଘରକୁ ନିୟମିତ ଯାଉଥିଲେ ଓ ସମ୍ପର୍କ ରଖୁଥିଲେ। ତେବେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଅନୁପସ୍ଥିତିରେ ବିଜୟ ମଧ୍ୟ ଉକ୍ତ ମହିଳାଙ୍କ ଘରକୁ ଯାଉଥିଲେ। ଏ ବିଷୟରେ ଜାଣିବା ପରେ ସେ ବିଜୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେ ରାଜି ହୋଇନଥିଲେ ଏବଂ ମହିଳାଙ୍କ ଘରକୁ ଯିବା ବନ୍ଦ କରିନଥିଲେ। ଏନେଇ ପଦ୍ମ ବିଜୟଙ୍କ ଉପରେ ରାଗିଥିଲେ ଓ ନିଜର ଦୁଇ ସାଙ୍ଗଙ୍କ ସହ ମିଶି ବିଜୟଙ୍କୁ ହତ୍ୟା କରିଥିଲେ।

Share Now:

Kalinga News Beuro

Next Post

ବିଶ୍ୱକପ୍ ଇତିହାସରେ ପ୍ରଥମ : ଖେଳିପାରିବନି ୱେଷ୍ଟଇଣ୍ଡିଜ

Sat Jul 1 , 2023
ହରାରେ : ବିଶ୍ୱକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି। ଦୁଇ ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଏଥର ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଦିନେ ବିଶ୍ୱ କ୍ରିକେଟର ସବୁଠାରୁ ଦୁର୍ଦ୍ଧର୍ଷ ଟିମ ଥିବା ୱେଷ୍ଟଇଣ୍ଡିଜ ପାଇଁ ଏହା ଏକ ଦୁର୍ଦ୍ଦିନଠାରୁ କମ ନୁହେଁ। ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ୨୦୨୩ ଯୋଗ୍ୟତା ପର୍ଯ୍ୟାୟର ସୁପରସିକ୍ସ ରାଉଣ୍ଡରେ ସ୍କଟଲାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ […]
ବିଶ୍ବକପରେ ଖେଳିପାରିବନି ଓ୍ବେଷ୍ଟଇଣ୍ଡିଜ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial